ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ବାହାରୁ ଆସିଲେ କ୍ୱାରେଣ୍ଟାଇନ୍‌ ରହିବେ। ମିଳିବ ୨ ହଜାର ଟଙ୍କା ସହାୟତା ରାଶି।

ରାଜ୍ୟ ବାହାରୁ ଯେଉଁମାନେ ଆସିବେ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛି ବିଭାଗ।

ରାଜ୍ୟ ବାହାରୁ ଯେଉଁମାନେ ଗାଁକୁ ଫେରିବେ ସେମାନେ ୧୪ ଦିନ ଯାଏଁ ସଙ୍ଗ ରୋଧରେ ରହିବେ। ସେମାନଙ୍କୁ ରାଜ୍ୟ ସରକାର ମଗଣାରେ ରହିବା, ଖାଇବା, ଚିକିତ୍ସା ଏବଂ ଔଷଧ ଯୋଗାଇ ଦେବେ। ସଙ୍ଗରୋଧ ଶେଷ ହେବା ପରେ ସରକାର ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ।

ସରକାର କହିଛନ୍ତି ଯେ, ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିପଞ୍ଚାୟତରେ ପଞ୍ଜୀକରଣ କରିବା ବାଧ୍ୟତାମୁଳକ। ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁ ପଞ୍ଜୀକରଣ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜାରି କରିଥିଲେ। ବାହାରେ ଫସିଥିବା ଲୋକଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ। ଯେଉଁମାନେ ବାହାରୁ ଆସିବେ ସେମାନଙ୍କୁ ପଞ୍ଚାୟତରେ ପଞ୍ଜୀକରଣ କରିବା ସହ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ। ଏଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ନିୟମ ଉଲ୍ଲଂଘନ ହେଲେ ସରପଞ୍ଚଙ୍କ ହାତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଏବଂ ଅନ୍ୟାନ୍ୟ ଆଇନର ଧାରା ଅନୁଯାୟୀ ଦଣ୍ଡ ବିଧାନ କରାଯିବ।

Comment