ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗ ମେଦିନପୁରର ଆକ୍ରାନ୍ତଙ୍କ ଜୀବନ ଗଲା।
ଓଡ଼ିଶାର ୪୪ତମ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ହେଲେ ଏହି ମୃତ୍ୟୁ କରୋନାଜନିତ ନୁହେଁ ବୋଲି ରାଜ୍ୟ ସରକାର କହିଛନ୍ତି। ପୂର୍ବରୁ ସେ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ। ଏଣୁ କ୍ୟାନସର ରୋଗରେ ତାଙ୍କର ଜୀବନ ଯାଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ, ଆକ୍ରାନ୍ତ କରୋନାରୁ ସୁସ୍ଥ ଥିଲେ। ହେଲେ ତାଙ୍କର ଅଲଗା ରୋଗ ଥିବାରୁ ତାଙ୍କୁ ଡିସ୍ଚାର୍ଜ କରାଯାଇ ନଥିଲା। ଏହି ଆକ୍ରାନ୍ତଙ୍କର ମଲ୍ଟି ଅର୍ଗାନ୍ ଫେଲ୍ ଏବଂ ହାଇପୋପିଟ୍ୟୁରିଜିମ୍ ଥିବାରୁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଛି।
ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରୁ ଏପ୍ରିଲ ୭ ତାରିଖରେ ୭୦ ବର୍ଷୀୟ ବୃଦ୍ଧ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ୭ ତାରିଖ ରାତିରେ ବାଲେଶ୍ୱର ବାଇପାସ୍ ନିକଟରେ ଥିବା ଏକ ଚା’ ଦୋକାନ ସମ୍ମୁଖରେ ସେ ଅଟକି ଚା’ ପିଇଥିଲେ।
୮ ତାରିଖ ସକାଳେ ସେ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ଆସିଥିଲେ ଏବଂ ଆଇସୋଲେସନ ୱାର୍ଡରେ ରହିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ୯ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ୯ ତାରିଖରୁ ସେ କୋଭିଡ୍ ହସ୍ପିଟାଲରେ ରହିଥିଲେ।
ରାଜ୍ୟରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଥିଲେ।








ପଶ୍ଚିମବଙ୍ଗ ମେଦିନପୁରର ଆକ୍ରାନ୍ତଙ୍କ ଜୀବନ ଗଲା।









