ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବା ସହ ଅନେକ ପଶୁପକ୍ଷୀ ଓ ଲୋପ ପାଇବାକୁ ବସିଛନ୍ତି। ସେମାନଙ୍କୁ ଯଥାସମ୍ଭବ ସୁରକ୍ଷା ଦେବା ପାଇଁ ଓ ପରିବେଶ ରକ୍ଷା ପାଇଁ ପ୍ରତିବର୍ଷ ଏପ୍ରିଲ ୨୨ରେ ପୃଥିବୀ ଦିବସ ପାଳନ ହେଉଛି।
ଆଜି ଏପ୍ରିଲ ୨୨। ଏହି ତାରିଖକୁ ଆର୍ଥ ଡେ’ ବା ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି। ପଲିଥିନ, କାଗଜର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍ କରିବାକୁ ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ। ଏହି ଦିବସ ଅବସରରେ ଗୁଗଲ ମଧ୍ୟ ପ୍ରତିଥର ଭଳି ଏଥର ସ୍ୱତନ୍ତ୍ର ଡୁଡଲ୍ ପ୍ରସ୍ତୁତ କରିଛି।
କେବେଠୁ ପାଳିତ ହେଉଛି?
୧୯୭୦ ମସିହାରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି । ଆମେରିକା ଏହି ଦିବସକୁ ବୃକ୍ଷ ଦିବସ ଭାବେ ପାଳନ କରିଥାଏ।