ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟର ସୁରତରେ ଫସିରହିଥିବା ଓଡ଼ିଆଙ୍କୁ ନେଇ ୪ଟି ବସ୍ ଆଜି ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିଛି। ପ୍ରତି ବସ୍ରେ ୫୦ରୁ ୫୭ ଜଣ ଲେଖାଏଁ ଲୋକ ଅଛନ୍ତି। ସେମାନେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
୪ଟି ବସ୍ରେ ୨୦୦ରୁ ଅଧିକ ଲୋକ ଅଛନ୍ତି। ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର। ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ପରେ ସେମାନଙ୍କୁ ସଙ୍ଗରୋଧ ଗୃହକୁ ପଠାଯିବ। ମେଡିକାଲ ଟିମ୍ର ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କାହାର ନମୁନା ପରୀକ୍ଷା ହେବ କି ନହେବ ତାହା ଡାକ୍ତରୀ ଟିମ୍ ନିଷ୍ପତ୍ତି ନେବେ। ବସ୍ରେ ଯେଉଁମାନେ ଆସୁଛନ୍ତି ସେମାନେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି।
ସୁରତରେ ଫସିଥିବା ଲୋକମାନେ ନିଜ ଖର୍ଚ୍ଚରେ ବସ୍ ଭଡ଼ା କରି ଗଞ୍ଜାମ ଆସୁଥିବା ଜଣାପଡ଼ିଛି। ସୁରତ ଜିଲ୍ଲା ପ୍ରଶାସନର ଅନୁମତି ଅନୁସାରେ ଗଞ୍ଜାମ ଅଭିମୁଖେ ଲୋକ ଆସୁଛନ୍ତି। ସୁରତରେ ଆହୁରି ଅନେକ ଓଡ଼ିଆ ଫସିଛନ୍ତି। ସେମାନେ କେମିତି ଓଡ଼ିଶା ଆସିବେ ତା’ ଉପରେ ନଜର ରହିଛି।
ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ, ରାଜ୍ୟ ବାହାରେ ୫ ଲକ୍ଷ ଓଡ଼ିଆ ଫସି ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ସେଠାରେ ରହିଥିବା ଓଡ଼ିଆମାନେ କେମିତି ଫେରିବେ ସେନେଇ ଆଲୋଚନା କରିଥିଲେ।


















