ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡକୁ ଗୋଟିଏ ପରେ ଗୋଟିଏ ଝଟକା। ବୁଧବାର ଅଭିନେତା ଇରଫାନଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁରୁବାର ଦୁନିଆକୁ ଅଲବିଦା କହିଛନ୍ତି ଭେଟେରାନ ଅଭିନେତା ୠଷି କପୁର।

ଦୀର୍ଘ ଦିନରୁ ଅସୁସ୍ଥ ଥିବା ୠଷି କପୁର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ବଲିଉଡରେ ଏକ ଅପୂରଣୀୟ କ୍ଷତି। କାରଣ ଜଣେ ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେପ୍ଟେମ୍ବର ୪, ୧୯୫୨ରେ ୠଷି କପୁର ମୁମ୍ବାଇର ଚେମ୍ବୁରରେ ଜନ୍ମ ହୋଇଥିଲେ। ସେ ଅଭିନେତା, ନିର୍ଦ୍ଦେଶକ ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ଥିଲେ।

ୠଷି ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୪ରେ ତାଙ୍କ ଅଭିନୀତ ଫିଲ୍ମ ‘ବବି’ ଫିଲ୍ମଫେୟାର ପୁରସ୍କାର ପାଇଥିଲା। ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ଆ ଅବ୍‌ ଲୌଟ ଚଲେଁ’ରେ ସେ ନିର୍ଦ୍ଦେଶନା ଦେଇଥିଲେ। ୠଷି ତାଙ୍କ ଜୀବନକାଳରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ପ୍ରଥମ ଫିଲ୍ମରେ ଚମତ୍କାର ଭୂମିକା ପାଇଁ ସେ ୧୯୭୧ରେ ଜାତୀୟ ଫିଲ୍ମ ପୁରସ୍କାର ଗ୍ରହଣ କରିଥିଲେ।

ୠଷିଙ୍କ ବାପା, ଜେଜେ ଜଣେ ଜଣେ ଅଭିନେତା ଥିଲେ। ପରିବାରରେ ଅଭିନୟ କଳା ଥିବାରୁ ୠଷିଙ୍କ ଭିତରେ ବି ଏକ କଳା ପିଲା ବେଳରୁ ଦେଖିବାକୁ ମିଳିଥିଲା। ସେ ନିଜ ବାପା ଓ ଜେଜେଙ୍କୁ ଅନୁକରଣ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ। ‘ମେରା ନାମ ଜୋକର’ ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏଥିରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ବବି ଫିଲ୍ମରେ ସେ ଅଭିନେତା ଭାବେ କାମ କରିଥିଲେ। ୠଷି କପୁର ୧୯୮୦, ଜାନୁଆରି ୨୨ରେ  ନିତୁ ସିଂଙ୍କୁ ବିବାହ କରିଥିଲେ। ଅଭିନେତା ରଣବୀର କପୁର ୠଷି କପୁରଙ୍କ ପୁଅ ଓ ରିଧିମା କପୁର ତାଙ୍କ ଝିଅ।

Comment