ଓଡ଼ିଶାଲାଇଭ୍ ବ୍ୟୁରୋ
ୠଷି କପୁର ଓ ନିତୁ ସିଂ ପରସ୍ପରକୁ କେବେ ଆଉ କେମିତି ଭେଟିଥିଲେ। କେମିତି ହୋଇଥିଲା ପ୍ରେମ। ଜାଣିବା ପାଇଁ ପଢ଼ନ୍ତୁ ପୂରା ରିପୋର୍ଟ।
କ୍ୟାନ୍ସରରେ ଦୀର୍ଘଦିନ ପୀଡ଼ିତ ହେବା ପରେ ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡ ଅଭିନେତା ୠଷି କପୁର। ଗୁରୁବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦୀର୍ଘ ଦିନ ଧରି କ୍ୟାନ୍ସର ସହ ସଂଗ୍ରାମ କରୁଥିଲା ବେଳେ ତାଙ୍କ ପତ୍ନୀ ନିତୁ ସିଂ ତାଙ୍କ ପାଖେ ପାଖେ ରହିଥିଲେ। ତାଙ୍କର ଖୁବ୍ ଯତ୍ନ ନେଇଥିଲେ। ତେବେ କେମିତି ଥିଲା ନିତୁ ଆଉ ୠଷିଙ୍କ ସମ୍ପର୍କ ଆଉ କେମିତି ହୋଇଥିଲା ଲଭ୍ ଆସନ୍ତୁ ଜାଣିବା।
ୠଷି ଓ ନିତୁଙ୍କୁ ବଲିଉଡର ସବୁଠାରୁ ରୋମାଣ୍ଟିକ୍ ଦମ୍ପତି ବୋଲି କୁହାଯାଏ। ସେମାନଙ୍କ ଲଭ୍ଷ୍ଟୋରି ମଧ୍ୟ ବେଶ୍ ନିଆରା। ୠଷି କପୁର ‘ବବି’ ଫିଲ୍ମ ସହିତ ବଲିଉଡରେ ଅଭିନୟ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ଲୁକ୍ ଏବଂ ଷ୍ଟାଇଲ୍ ଯୋଗୁଁ ତାଙ୍କ ପଛରେ ଝିଅ ପାଗଳ ଥିଲେ। ତାଙ୍କୁ ଚକୋଲେଟ୍ ବଏ ବୋଲି ମଧ୍ୟ କୁହାଯାଏ। ସେ ସମୟରେ ୠଷିଙ୍କର ଅଭିନେତ୍ରୀ ଡିମ୍ପଲ କାପାଡ଼ିଆଙ୍କ ସହ ଆଫେୟାର ଥିବା ଶୁଣିବାକୁ ମିଳିଥିଲା।
ରିପୋର୍ଟ ଅନୁସାରେ ୧୯୭୪ରେ ଫିଲ୍ମ ‘ଜହରିଲି ଇନସାନ’ର ସୁଟିଂ ଚାଲିଥିବାବେଳେ ନିତୁଙ୍କ ସହ ୠଷିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେତେବେଳେ ନିତୁଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା। ଫିଲ୍ମ ସେଟରେ ବାରମ୍ବାର ଦେଖା ହେବା ପରେ ୨ ଜଣ ଭଲ ସାଙ୍ଗ ହୋଇଗଲେ। ଦୁହିଁଙ୍କ ଭିତରେ ଅନେକ ଝଗଡ଼ା ମଧ୍ୟ ହେଉଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ସବୁଠୁ ଖାସ ହେଲା ନିତୁଙ୍କୁ ଭେଟିବା ପୂର୍ବରୁ ୠଷି କପୁରଙ୍କ ଜଣେ ଗାର୍ଲଫ୍ରେଣ୍ଡ ଥିଲେ। ଯେତେବେଳେ ୠଷିଙ୍କ ଉପରେ ତାଙ୍କ ଗାର୍ଲଫ୍ରେଣ୍ଡ ରାଗି ଯାଉଥିଲେ, ସେତେବେଳେ ଚିଠି ଲେଖିବା ପାଇଁ ୠଷି ନିତୁଙ୍କ ସାହାଯ୍ୟ ନେଉଥିଲେ।
ନିତୁ ୠଷିଙ୍କ ଗାର୍ଲଫ୍ରେଣ୍ଡଙ୍କ ପାଇଁ ଚିଠି ଲେଖୁଥିଲେ। କିନ୍ତୁ ଅନ୍ୟପକ୍ଷରେ ୠଷି ଓ ନିତୁ ପରସ୍ପରର ନିକଟତର ହେଉଥିଲେ। ଦୁହେଁ ଅଧିକାଂଶ ସମୟ ଏକାଠି ସମୟ ବିତାଉଥିଲେ। ତା’ପରେ ସେମାନେ ଅନେକ ଫିଲ୍ମରେ ଏକାଠି କାମ ମଧ୍ୟ କରିଥିଲେ। ଏହାରି ଭିତରେ ୠଷିଙ୍କୁ ନିତୁଙ୍କ ସହ ପ୍ରେମ ହୋଇଯାଇଥିଲା। ୠଷିଙ୍କ ପରିବାର ଉଭୟଙ୍କ ବିବାହ ପାଇଁ ରାଜିଥିଲେ ବି ନିତୁଙ୍କ ମା’ କିନ୍ତୁ ଏଥିପାଇଁ ରାଜି ନଥିଲେ। କିଛି ଦିନ ପରେ ନିତୁଙ୍କ ମା’ ବି ରାଜି ହୋଇଥିଲେ। ୧୯୮୦ରେ ନିତୁଙ୍କୁ ୠଷି ବିବାହ କରିଥିଲେ।