ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ରେ ଜଳଖିଆ ଦୋକାନ ବନ୍ଦ। ଚାଟ୍, ଗୁପଚୁପ, ଦହିବରା ଭଳି ଚଟପଟା ଖାଦ୍ୟ ବି ବିକ୍ରି ହେଉନାହିଁ। ଏମିତି ସମୟରେ ଆପଣଙ୍କୁ ନିଶ୍ଚୟ କିଛି ଚଟପଟା ଖାଇବାକୁ ମନ ହେଉଥିବ। ତେବେ ଆସନ୍ତୁ ଜାଣିବା ଘରେ କେମତି ପ୍ରସ୍ତୁତ କରିବେ ସୁଆଦିଆ ଚାଟ୍।
ଆବଶ୍ୟକୀୟ ସାମଗ୍ରୀ : ଆଳୁ, ମଟର, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ , ଧନିଆ ଗୁଣ୍ଡ, ଲୁଣ, ହଳଦୀ, ଚାଟ୍ କଲର୍, ଝୁରା ସେଓ, ଅଦା ରସୁଣ ପେଷ୍ଟ, ଡାଲଚିନି ପାଉଡର, ଚାଟ୍ ମସଲା, କଟା ପିଆଜ, ଟମାଟୋ ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆଳୁ, ମଟର ସିଝାଇ ଦିଅନ୍ତୁ। ଆଳୁ ମଟର ସିଝିଲା ପରେ ତାକୁ ଅଲଗା ଅଲଗା ରଖନ୍ତୁ। ଆଳୁ ଥଣ୍ଡା ହୋଇଗଲା ପରେ ଭଲ ଭାବରେ ଚକଟି ରଖନ୍ତୁ। ଏହାପରେ କଡ଼େଇରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାନ୍ତୁ।

ପିଆଜ ନରମ ହୋଇଆସିଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ। ଟିକିଏ ସମୟ ଛାଡ଼ି ଦେଇ ଏଥିରେ ଟମାଟୋ ପେଷ୍ଟ ପକାନ୍ତୁ। ମସଲାକୁ ଭଲ ଭାବରେ ଏପଟ ସେପଟ କରନ୍ତୁ। ପୁଣି କିଛି ସମୟ ଛାଡ଼ି ଦେଇ ସେଥିରେ ଚାଟ ମସଲା ପକାନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ, ଚାଟ୍ କଲର ପକାନ୍ତୁ। ଏବେ ଏହି ମସଲାରେ ଚକଟି ରଖିଥିବା ଆଳୁ, ମଟର ପକାନ୍ତୁ। ଏଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚାଟ୍। ଏବେ ପ୍ଲେଟକୁ କାଢ଼ି ଝୁରା ସେଓ, କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ଆପଣ ଏହାକୁ ଖାଇପାରିବେ।
















