ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିନଥିଲେ କଟିଯିବ ରାସନକାର୍ଡ। ଆଉ ମିଳିବନି ରାସନ। ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାସନକାର୍ଡ ପାଇଁ ଇ- କେୱାଇସି କରିବାକୁ ଜାନୁଆରି ୩୧ ଶେଷ ତାରିଖ ରହିଛି। ଧାର୍ଯ୍ୟ ସମୟ ମଧ୍ୟରେ ଇ- କେୱାଇସି ନକଲେ ହିତାଧିକାରୀଙ୍କ ରାସନକାର୍ଡ ଅକାମୀ ହୋଇଯିବ। ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ନୂଆ ରାସନକାର୍ଡ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ କରିନାହାନ୍ତି। ଚଳିତ ବର୍ଷ ଜାନୁଆରି ୩୧ ତାରିଖ ସୁଦ୍ଧା ଇ-କେୱାଇସି ଯାଞ୍ଚ ନିମନ୍ତେ ରାଜ୍ୟ ସରକାର ସମୟ ଦେଇଛନ୍ତି। ଯେଉଁମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଇ-କେୱାଇସି ଯାଞ୍ଚ ଶେଷ କରିନଥିବେ ସେମାନଙ୍କ ରାସନକାର୍ଡ ଅକାମୀ ହୋଇଯିବ। ହିତାଧିକାରୀମାନେ ନିଜ ରାସନ ସାମଗ୍ରୀ ପାଉଥିବା ଡିଲର କିମ୍ବା ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଇ ଇ-କେୱାଇସି ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବାହାର ରାଜ୍ୟରେ ରହୁଥିବା ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବାକୁ ସରକାରୀ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଏହା ସହ ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି ଇ-କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Tags: #Rationcard #RationcardEKYC #Deadline #OdishaGovt #Food #Odisha

LEAVE A REPLY

Please enter your comment!
Please enter your name here