ଓଡ଼ିଶାଲାଇଭ୍ ବ୍ୟୁରୋ

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେଓ୍ଵାଇସି କରିନଥିଲେ ନଭେମ୍ବର ମାସରୁ ଚାଉଳ ମିଳିବନି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଇ-କେଓ୍ଵାଇସି କରେଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ହିତାଧିକାରୀଙ୍କୁ ସମୟ ଦିଆଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ-କେଓ୍ଵାଇସି କରିନାହାନ୍ତି।

ଇ-କେଓ୍ଵାଇସି କରିନଥିବା ହିତାଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଚାଉଳ ପାଉଛନ୍ତି। କିନ୍ତୁ ନଭେମ୍ବର ମାସଠାରୁ ଚାଉଳ ମିଳିବ ନାହିଁ। କେନ୍ଦ୍ର ସରକାର ଇ-କେଓ୍ଵାଇସି ପ୍ରକ୍ରିୟା ବନ୍ଦ କରିସାରିଛନ୍ତି। କେନ୍ଦ୍ର ସରକାର ସମୟ ବଢ଼ାଇଲେ ରାଜ୍ୟରେ ମଧ୍ୟ ସମୟ ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ବାଦ ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଜଣାଇଲେ, ସେମାନଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାସନ ଚୋରି ଧରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ରାସନ କାର୍ଡର ଇ-କେଓ୍ଵାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୧ ବର୍ଷ ହେଲା ଇ-କେଓ୍ଵାଇସି ପ୍ରକିୟା ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ହିତାଧିକାରୀ ଇ-କେଓ୍ଵାଇସି କରିନାହାନ୍ତି।

ବାରମ୍ବାର ଇ-କେଓ୍ଵାଇସି ପାଇଁ ସମୟ ଦିଆଯାଉଥିଲେ ମଧ୍ୟ, ଅଧିକାଂଶ ରାସନକାର୍ଡ ହିତାଧିକାରୀ ଏଥିପ୍ରତି ଗୁରୁତ୍ଵ ଦେଉନଥିବାରୁ ସେମାନଙ୍କ କାର୍ଡ ସସପେଣ୍ଡ କରିବାକୁ ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

Tags: #RationCard #EKYC #PublicDistribution #Odisha

Comment