ଓଡ଼ିଶାଲାଇଭ୍ ବ୍ୟୁରୋ

- ଦକ୍ଷିଣ ଓଡ଼ିଶାରେ ୧୮ ତାରିଖରୁ ବର୍ଷା
- ୧୯ରୁ ଉପକୂଳ ଓଡ଼ିଶାରେ ବର୍ଷା
- ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାର ରୂପ ନେବ। ପ୍ରଥମେ ଉତ୍ତର ପଶ୍ଚିମ ଏବଂ ୧୭ ତାରିଖ ସନ୍ଧ୍ୟାରୁ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା। ଏହାର ପ୍ରଭାବରେ ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା, ପବନ ହେବାର ସମ୍ଭାବନା ରହିଥିବା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାନା ରହିଛି। ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ୧୯ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ବାତ୍ୟା ଉତ୍ତର ପୂର୍ବ ଦେଇ ଗତି କରିବାର ଥିବାରୁ ମୟୂରଭଞ୍ଜ ଜିଲ୍ଲା ପ୍ରତି ସତର୍କ ସୂଚନା ଜାରି କରାଯାଇଛି। ତେବେ ବାତ୍ୟାର ରୂପରେଖ କ’ଣ ହେବ ଏବଂ କେଉଁଠି ଳ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।
ଆଜି ସନ୍ଧ୍ୟାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବନା କରାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ୧୭ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

















