ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ଭଦ୍ରକ ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗରେ ଖପ୍ପା ହେଲେ ଏନ୍ଜିଟି। ଏହି ପ୍ରସଙ୍ଗରେ ଉଭୟ ପକ୍ଷରୁ ନୋଟିସ ହୋଇଥିଲା। ହେଲେ ରାଜ୍ୟ ସରକାର କିମ୍ବା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବିଭାଗ ଅଧିକାରୀମାନେ ମାମଲାରେ ପକ୍ଷ ରଖିନାହାନ୍ତି ବୋଲି କୋର୍ଟ ଏହି କାର୍ଯ୍ୟକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରୁ ଖରସ୍ରୋତା ନଦୀରୁ ମିଠା ପାଣି ନେଇ ଭଦ୍ରକ ଜିଲ୍ଲାର ୯୧ଟି ପଞ୍ଚାୟତକୁ ଯୋଗାଯିବ। ଏଥି ପାଇଁ ଚାନ୍ଦବାଲି ନୂଆହାଟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି। ହେଲେ ଏହାକୁ ଖୋଲାଖୋଲି ବିରୋଧ କରି ଆସୁଥିଲେ ରାଜକନିକା ଓ ଆଳି ବ୍ଲକ ବାସିନ୍ଦାମାନେ। ଏହାସହ ଖରସ୍ରୋତା ସୁରକ୍ଷା ପରିଷଦ ମଧ୍ୟ ଏଥିପାଇଁ ଲଢେଇ ଆରମ୍ଭ କରିଛି।
ଖରସ୍ରୋତା ସୁରକ୍ଷା ପରିଷଦର ଏହି ପ୍ରତିବାଦରେ ସରକାର ନିରବ ରହିବାରୁ, ଖରସ୍ରୋତା ସୁରକ୍ଷା ପରିଷଦ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଆଶ୍ରୟ ନେଇଛି। ଏହି ସୁରକ୍ଷା ପରିଷଦ ପକ୍ଷରୁ ଅଭିଯୋଗ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ହାଜର ହୋଇଛନ୍ତି ପରିବେଶ ବିତ ସଞ୍ଜୟ କୁମାର ବେହୁରା।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ମାମଲାର ବିଚାର ଆରମ୍ଭ କରି ପ୍ରତିପକ୍ଷମାନଙ୍କୁ ଗତ ୧୪ ମେ’ ୨୦୨୦ ତାରିଖରେ ପକ୍ଷ ରଖିବାକୁ ନୋଟିସ କରିଥିଲେ। କରୋନା ଲକଡାଉନ ପାଇଁ ପ୍ରତିପକ୍ଷମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କର ପକ୍ଷ ରଖିବାକୁ କୋର୍ଟ ସୁଯୋଗ ଦେଇଥିଲେ। ହେଲେ ରାଜ୍ୟ ସରକାର କିମ୍ବା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବିଭାଗ ଅଧିକାରୀମାନେ ପକ୍ଷ ରଖିନଥିଲେ।
ଏହି ମାମଲା ଆଗତକରି ଖରସ୍ରୋତା ସୁରକ୍ଷା ପରିଷଦ ପକ୍ଷରୁ ସଞ୍ଜୟ ବେହୁରା ଅଭିଯୋଗ କରିଛନ୍ତି ଯେ ଭଦ୍ରକ ଜିଲ୍ଲାରେ ବୈତରଣୀ, ସାଳନ୍ଦୀ, ମନ୍ତେଇ ଓ କାନ୍ସବାନ୍ସ ଭଳି ନଦୀ ସବୁ ରହିଛି। ହେଲେ କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ଭଳି ଏକ କ୍ଷୁଦ୍ର ନଦୀର ଜଳକୁ କାହିଁକି ଶୋଷଣ କରାଯିବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି।
ଏହି ନଦୀ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକର ଲକ୍ଷଲକ୍ଷ ଲୋକେ କୃଷି ଓ ପାନୀୟଜଳ ପାଇଁ ନିର୍ଭର କରନ୍ତି। ଏହାଛଡା ଏହି ନଦୀର ମିଠାଜଳ ଉପରେ ବିଶ୍ଵବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ନିର୍ଭର କରେ।
ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଓଡିଶା ସରକାର ଓ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ବିଭାଗ ଓ ଦୁଇଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ପକ୍ଷ ରଖାଯାଇଛି। ହେଲେ ଗତ ୧୪ ତାରିଖରେ ଏହି ମାମଲାର ବିଚାର ସମୟରେ ମାନ୍ୟବର ଅଦାଲତଙ୍କ ନିକଟରେ କୌଣସି ପକ୍ଷ ରଖାଯାଇନଥିବାରୁ ଅଦାଲତ ଖପ୍ପା ହୋଇଛନ୍ତି। ଆଗାମୀ ଧାର୍ଯ୍ୟ ତାରିଖରେ ପକ୍ଷ ନରଖିଲେ ମାନ୍ୟବର ଅଦାଲତ ପ୍ରତିପକ୍ଷଙ୍କ ବିରୋଧରେ କ୍ଷତିପୂରଣ ଆଦେଶ ଦେବେ ବୋଲି କହିଛନ୍ତି।

















