ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ଜିଲ୍ଲାରେ ବାତ୍ୟା ଅମ୍ପନ ପକାଇଛି ପ୍ରଭାବ। ୪ ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ।
ବାତ୍ୟା ଅମ୍ପନ ଚାଲି ଯାଇଛି। ଏବେ ଓଡ଼ିଶାରେ ବାତ୍ୟା କେତେ କ୍ଷୟକ୍ଷତି କରିଛି ତାକୁନେଇ ଆକଳନ ଚାଲିଛି। ରାଜ୍ୟ ସରକାର ଦେଇଥିବା ପ୍ରାଥମିକ ରିପୋର୍ଟ ଅନୁସାରେ ବାତ୍ୟା ଓଡ଼ିଶାର ୧୦ ଜିଲ୍ଲାରେ କ୍ଷୟକ୍ଷତି କରିଛି। ତେବେ ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପକାଇଛି।
ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ପୁରୀରେ ଅମ୍ପନ ପ୍ରଭାବ ପଡ଼ିଥିଲା। ହେଲେ ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅଧିକ ପ୍ରଭାବ ପକାଇଥିଲା ଅମ୍ପନ।
୯୨ ବ୍ଲକର ୧୫୫୮ ଗ୍ରାମପଞ୍ଚାୟତ ଏବଂ ୯ ହଜାର ୮୩୩ ଗାଁ ବାତ୍ୟାରେ ପ୍ରଭାବିତ ହୋଇଛି। ୨୨ ସହରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ୪୪ ଲକ୍ଷ ୪୪ ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି।
ବାତ୍ୟାରେ ୫୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ୧୫ ହଜାର ଘର ଆଂଶିକ ଭାଙ୍ଗିଥିବା ସରକାର ରିପୋର୍ଟ ଦେଇଛନ୍ତି। ୨୮ଟି ବଡ଼ ପଶୁ, ୯ଟି ଛୋଟ ପଶୁ ଏବଂ ୩ ହଜାର ୬୮୦ ପକ୍ଷୀଙ୍କର ମୃତ୍ୟୁ ହୋଇଛି।
ବାତ୍ୟା ପ୍ରଭାବିତ ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ବର୍ତ୍ତମାନସୁଦ୍ଧା ଜଣାପଡ଼ିଛି। ବର୍ତ୍ତମାନ ସର୍ଭେ ଚାଲିଛି। ୨୬ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ତଥ୍ୟ ମିଳିପାରିବ।
୧୪ଟି ମାଛଧରା ଡଙ୍ଗା ଭାଙ୍ଗିଥିବା ବେଳେ ୪୧ଟି ଡଙ୍ଗା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ୪୧ଟି ଜାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
କଟକ ଏବଂ ବାଲେଶ୍ୱର ବନଖଣ୍ଡ ଅଧୀନରେ ୪ ହଜାର ଗଛ ଉପୁଡ଼ିଥିବା ବେଳେ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି। ୧୫୧ କିଲୋମିଟର ଗ୍ରାମ୍ୟ ରାସ୍ତା ନଷ୍ଟ ହୋଇଥିବା ବେଳେ ୬୪୬ଟି ଅଙ୍ଗନବାଡ଼ି, ୧୫୫୨ ପ୍ରାଥମିକ ସ୍କୁଲ, ୨୯୮ ପଞ୍ଚାୟତ କୋଠା ଭାଙ୍ଗିଯାଇଛି।








୧୦ ଜିଲ୍ଲାରେ ବାତ୍ୟା ଅମ୍ପନ ପକାଇଛି ପ୍ରଭାବ। ୪ ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ।








