ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କ ବହୁ ଭଲ ଭାବରେ ଯତ୍ନ ନିଆଯାଏ। ଶିଶୁ ଜନ୍ମ ହେବା ପରେ ପିଲାଟିର ସ୍ୱାସ୍ଥ୍ୟ କିପରି ଠିକ୍ ରହିବ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଉଠେ। ହେଲେ ଏହି ସମୟ ମା ପାଇଁ ମଧ୍ୟ ସେତିକି ଜରୁରୀ। ତେଣୁ ପିଲା ଜନ୍ମ ହେବା ପରେ ମଧ୍ୟ ମା’ କୁ ନିଜ ଶରୀର ଯତ୍ନ ନେବାକୁ ହେବ। ଆସନ୍ତୁ ଜାଣିବା ଡେଲିଭରି ପରେ ମହିଳାମାନେ କିପରି ନିଜର ଯତ୍ନ ନେବେ।
ଆରାମ କରିବା ଆବଶ୍ୟକ
ପିଲା ଜନ୍ମ ପରେ ମହିଳାଙ୍କୁ ଯେତେ ସମ୍ଭବ ଆରାମ କରିବା ଆବଶ୍ୟକ। ଅତିକମରେ ୪୦ ଦିନ ଯାଏ ବେଡ୍ ରେଷ୍ଟ କରିବା ନିହାତି ଜରୁ। ଏହ ସମୟରେ ଆପଣ ନିଜର ଯତ୍ନ ନେବା ସହ ନିଜ ପିଲାର ଯତ୍ନ ମଧ୍ୟ ନେଇପାରିବେ। ଅପରେସନ୍ ଦ୍ୱାରା ପିଲାଟି ଜନ୍ମ ହୋଇଥିଲେ ସେହି ସମୟ ମା’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଧିକ ପ୍ରେସର୍ ପଡ଼ିଲେ ଷ୍ଟିଚେସ୍ ଫିଟିବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ଏହି ସମୟରେ ସଂପୂର୍ଣ୍ଣ ରୂପେ ଆରାମ କରିବା ଆବଶ୍ୟକ।

ବ୍ୟାୟାମ କରନ୍ତୁ
ପ୍ରେଗ୍ନେନ୍ସି ପରେ ନିଜ ଶରୀରକୁ ପୂର୍ବାବସ୍ଥାକୁ ଆଣିବା ପାଇଁ ପ୍ରତିଦିନ କିଛି ସମୟ ପାଇଁ ଯୋଗ ବା ବ୍ୟାୟାମ କରନ୍ତୁ। ଏହି ସମୟରେ କେଉଁ କେଉଁ ଯୋଗ କରିବା ଦରକାର ସେ ବିଷୟରେ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ। ସକାଳେ ବା ସଂଧ୍ୟାବେଳେ କିଛି ସମୟ ସାମାନ୍ୟ ବୁଲାବୁଲି କରନ୍ତୁ ବା ଚାଲନ୍ତୁ।

ଖାଦ୍ୟପେୟର ଯତ୍ନ ନିଅନ୍ତୁ
ପିଲା ଜନ୍ମ ପରେ ମା’ କୁ ନିଜ ଖାଦ୍ୟପେୟ ପ୍ରତି ଅଧିକ ସଜାଗ ହେବାକୁ ପଡ଼ିବ। ଏହି ସମୟରେ ଶରୀରକୁ ଅତିମାତ୍ରାରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫାଇବର୍ ଆଦିର ଆବଶ୍ୟକତା ଥାଏ। ତେଣୁ ଏହି ସମୟରେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ତେଲମସଲା ଜାତୀୟ ଖାଦ୍ୟଠୁ ଦୂରେଇ ରୁହନ୍ତୁ। ଯଥେଷ୍ଟ ପାଣି ପିଅନ୍ତୁ।

ଭାରୀ ଜିନିଷ ଉଠାନ୍ତୁ ନାହିଁ
ଗର୍ଭବସ୍ଥା ସମୟରେ ଶରୀରର ସମସ୍ତ ଭାର ପିଠି ଉପରେ ପଡ଼ିଥାଏ। ତେଣୁ ମାଂସସ୍ପେଶୀ ଦୁର୍ବଳ ହୋଇଯାଇଥାଏ। ପିଲା ଜନ୍ମ ପରେ ନୂଆ କୋଷ ତିଆରି ହେବାରେ ସମୟ ଲାଗିଥାଏ। ତେଣୁ ଯଦି ଅପରେସନ୍ ହୋଇଥାଏ ତେବେ ପ୍ରାୟ ୨ ମାସ ପର୍ଯ୍ୟନ୍ତ କୌଣସି ଭାରୀ ଜିନିଷ ଉଠାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ବ୍ଲିଡିଂ ହେବାର ସମ୍ଭାବନା ଥାଏ। ତେଣୁ ଏହି ସମୟରେ ଅଧିକ ତଳକୁ ନୁଅନ୍ତୁ ନାହିଁ କି ଭାରୀ ଜିନିଷ ମଧ୍ୟ ଉଠାନ୍ତୁ ନାହିଁ।

















