ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁଠି ଉଠୁଛି ପ୍ରଶ୍ନ – କରୋନା କଟକଣା ଭିତରେ ଏଥର ରଥଯାତ୍ରା ହେବ ତ?

ଦେବସ୍ନାନ ପୂର୍ଣ୍ଣିମା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ରଥଯାତ୍ରାକୁ ନେଇ ଚର୍ଚ୍ଚା ବଢ଼ିଛି। ଚଳିତବର୍ଷ କରୋନା ସଙ୍କଟ ଭିତରେ ରଥଯାତ୍ରା ହେବ କି ନାହିଁ ଏବଂ ଯଦି ହେବ କେମିତି ହେବ ସେନେଇ ସରକାର କିଛି ଚିତ୍ର ସ୍ପଷ୍ଟ କରୁ ନାହାନ୍ତି। ଫଳରେ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ଜୁନ୍‌ ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାରେ ପାଣିରେ ସ୍ନାନ କରି ମହାପ୍ରଭୁ ଅଣସରରେ ଅଛନ୍ତି। ଏବେ ତାଙ୍କର ଗୁପ୍ତ ସେବା ଚାଲିଛି। ନେତ୍ରୋତ୍ସବ ଦିନ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ବିରାଜମାନ କରି ମାଉସୀ ଘରକୁ ଆସିବେ କାଳିଆ ସାଆନ୍ତ।

ଆଜିଠୁ ଠିକ୍‌ ୧୨ ଦିନ ପରେ ହେବ ରଥଯାତ୍ରା। ରଥଯାତ୍ରା ପାଇଁ ରଥଖଳାରେ ନିର୍ମାଣ କାମ ଜୋରସୋରରେ ଚାଲିଛି। ଯେଉଁ ତିଥିରେ ଯେତିକି ରଥ ନିର୍ମାଣ ହେବା କଥା ତାହା ମଧ୍ୟ ହେଉଛି। ହେଲେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ରଥଯାତ୍ରା ହେବ କି ନାହିଁ ସେନେଇ ସ୍ପଷ୍ଟ ସଙ୍କେତ ଦେଉ ନଥିବାରୁ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ସବୁଠୁ ବଡ଼ କଥା ହେଉଛି ରଥଯାତ୍ରା ପୂର୍ବରୁ ସରକାର ଯେଉଁ ପ୍ରସ୍ତୁତି କରିବା କଥା ତାହା କରୁ ନଥିବାରୁ ସସ୍‌ପେନ୍ସ ଲାଗି ରହିଛି।

ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ସମନ୍ୱୟ କମିଟିର ବୈଠକ କରିବା କଥା। ହେଲେ ତାହା ଏଯାଏଁ ହୋଇପାରିଲା ନାହିଁ। ରଥଯାତ୍ରାକୁ ଆଉ ୧୨ ଦିନ ଥିବା ବେଳେ କେବେ ସମନ୍ୱୟ କମିଟିର ବୈଠକ ବସିବ ତାକୁନେଇ ଚର୍ଚ୍ଚା ଲାଗି ରହିଛି।

ସେହିପରି ରଥଯାତ୍ରା ସମୟ ପାଖେଇ ଆସିଲେ ପ୍ରଶାସନ ପୁରୀ ବଡ଼ଦାଣ୍ଡରୁ ଉଠାଦୋକାନ ଖାଲି କରିବାକୁ ଆଗେଇ ଆସିଥାଏ। ଦୋକାନୀମାନଙ୍କୁ ନୋଟିସ୍‌ ମଧ୍ୟ ଦେଇଥାଏ। ହେଲେ ସେନେଇ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ।

ରଥଯାତ୍ରା ପରିଚାଳନା ପାଇଁ ଆର୍‌ଡିସି ଏବଂ ପୋଲିସ ଡିଜି ବି ସମୀକ୍ଷା ବୈଠକ କରିଥାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସବୁ ବିଭାଗର ଅଧିକାରୀଙ୍କୁ ଡାକି ବୈଠକ କରିଥାନ୍ତି। ଏପର୍ଯ୍ୟନ୍ତ ସେସବୁ ବୈଠକ ବି ହୋଇପାରି ନାହିଁ। ସେବାୟତମାନଙ୍କ ସହ ରଥଯାତ୍ରା ସମ୍ପର୍କରେ ଯେମିତି ଔପଚାରିକ ଢଙ୍ଗରେ ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ କରିନାହିଁ ଶ୍ରୀମନ୍ଦିର ପ୍ରଶାସନ। ଏଣୁ ରଥଯାତ୍ରା ଆୟୋଜନକୁ ନେଇ ଲୋକଙ୍କ ମନରେ ଆଶଙ୍କା ଭରି ରହିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଉ ନଥିବା ବେଳେ ଜିଲ୍ଲାପାଳ କିମ୍ବା ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ଏ ପ୍ରସଙ୍ଗରେ ମୁହଁ ନଖୋଲିବା ଘଟଣାକୁ ଅଧିକ ଜଟିଳ କରିଛି।

କରୋନା ମହାମାରୀ ବେଳେ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଜଣେ ସାମାଜିକ କର୍ମୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି। ରଥଯାତ୍ରା ଆୟୋଜନ ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ହାଇକୋର୍ଟ। ହେଲେ ଏବେଯାଇଁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି କି କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

ଦେବସ୍ନାନପୂର୍ଣ୍ଣିମା ଭଳି ବିନା ଭକ୍ତରେ ଏଥର ରଥଯାତ୍ରା ଆୟୋଜନ କରାଯାଉ ବୋଲି ସେବାୟତମାନେ ଦାବି କରୁଛନ୍ତି। ରଥଯାତ୍ରା ବନ୍ଦ ହେବା ଠିକ୍‌ ନୁହେଁ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦେଉଛନ୍ତି। ଭକ୍ତମାନେ ଘରେ ବସି ସ୍ନାନପୂର୍ଣ୍ଣିମାର ଯେମିତି ସିଧାପ୍ରସାରଣ ଦେଖିଲେ ଠିକ୍‌ ସେମିତି ରଥଯାତ୍ରାର ପ୍ରସାରଣ ଦେଖିପାରିବେ। ଏଣୁ ରଥଯାତ୍ରା ବନ୍ଦ ନକରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହେଉଛି।

ସ୍ନାନପୂର୍ଣ୍ଣିମା ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରଥଯାତ୍ରା ସମ୍ପର୍କରେ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ମହାପ୍ରଭୁ କେବଳ ବଡ଼ଦାଣ୍ଡରେ ଉପସ୍ଥିତ ଭକ୍ତଙ୍କ ପାଇଁ ରଥରେ ବିଜେ କରନ୍ତି ନାହିଁ। ସେ ସାରା ବିଶ୍ୱବାସୀଙ୍କୁ ଦର୍ଶନ ଦେବାକୁ ଆସିଥାନ୍ତି। ଏଣୁ ମହାପ୍ରଭୁ ସମସ୍ତଙ୍କର। ବଡ଼ଦାଣ୍ଡକୁ ନଆସିଲେ ବି ସେମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। ଗଜପତିଙ୍କ ଏହି ମନ୍ତବ୍ୟ ପରେ ରଥଯାତ୍ରା ସମ୍ଭାବନା ଫିଟିଲା ବୋଲି ଚର୍ଚ୍ଚା ହେଲା। ତେବେ ଏପର୍ଯ୍ୟନ୍ତ ସରକାର ନୀରବ ରହିବା ସମସ୍ତଙ୍କୁ ବ୍ୟଥିତ କରିଛି।

Rath Yatra 2019ରଥ ନିର୍ମାଣ ବେଳେ ବି ରାଜ୍ୟ ସରକାର କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇପାରି ନଥିଲେ। କରୋନା କଟକଣା ଭିତରେ ରଥ ନିର୍ମାଣ କରାଯିବ କି ନାହିଁ ସେ ନିଷ୍ପତ୍ତି ନେବା ଲାଗି କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଥିଲେ ରାଜ୍ୟ ସରକାର। କେନ୍ଦ୍ର ରଥ ନିର୍ମାଣ କାମକୁ ଅନୁମତି ଦେବା ସହ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କହିଥିଲେ। ଏବେ ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନେଇପାରୁ ନାହାନ୍ତି। କରୋନା କଟକଣା ଭିତରେ କେମିତି ରଥଯାତ୍ରା କରିବେ ତାକୁନେଇ ମାନସମନ୍ଥନ କରୁଥିବା କୁହାଯାଉଛି।

ଜୁନ୍‌ ୩୦ରେ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ କଟକଣା ଶେଷ ହେବ। ଏହାରି ଭିତରେ ହିଁ ରଥଯାତ୍ରା ତିଥି ପଡୁଛି। ଏହି କଟକଣା ଭିତରେ ଓଡ଼ିଶାରେ କୌଣସି ମନ୍ଦିର କିମ୍ବା ଧାର୍ମିକ ସମାବେଶ ହୋଇପାରିବ ନାହିଁ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଣୁ ଜୁନ୍‌ ୨୩ରେ ରଥଯାତ୍ରା କେମିତି ହେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comment