ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲାର ପ୍ରସିଦ୍ଧ ତଳାଗୁଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ହେଲା ଆବେଦନ।  

କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଏବେ ଗଜପତି ଜିଲ୍ଲାର ତାଳଗୁଡ଼କୁ ଜିଆଇ ଟ୍ୟାଗ୍‌ ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି।  କେନ୍ଦ୍ର ସରକାରଙ୍କ ଏମଏସଏମଇ ମନ୍ତ୍ରାଳୟ ଅଧୀନରେ ପରିଚାଳିତ ତଥା ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟରରେ (ସିଟିଟିସି) ଥିବା ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପଟି ଫାସିଲିଟେସନ ସେଣ୍ଟର(ଆଇପିଏଫସି) ମାଧ୍ୟମରେ ଏହି ଆବେଦନ କରାଯାଇଛି। ଆଇପିଏଫସିର ଆଇପିଆର ଏକ୍ସପର୍ଟ ଡକ୍ଟର ପି କାର୍ତ୍ତିଗେୟନ ଏହାର ଦାୟିତ୍ୱ ନେଇଛନ୍ତି।

ଗଜପତିର ତାଳଗୁଡ଼କୁ ଜିଆଇ ଟ୍ୟାଗ୍‌ ଦେବା ପାଇଁ ଦରଖାସ୍ତ ନମ୍ବର-୬୯୦ରେ ଏହି ଆବେଦନ କରାଯାଇଛି। ଏହି ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଫଳରେ ଗଜପତିର ପ୍ରସିଦ୍ଧ ତାଳଗୁଡ଼କୁ ଜିଆଇ ଟ୍ୟାଗ୍‌ ମିଳିବାର ରାସ୍ତା ଫିଟିଛି।

କୃଷି ପାଇଁ ଓଡ଼ିଶା ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚହ ହାସଲ କରିଛି। ଓଡ଼ିଶାରୁ ଉତ୍ପାଦିତ ହେଉଥିବା ବିଭିନ୍ନ କୃଷିଜାତ ସାମଗ୍ରୀର ଚାହିଦା ମଧ୍ୟ ଭଲ ରହିଛି। ସେଥିମଧ୍ୟରୁ ଗଜପତି ଜିଲ୍ଲାର ତାଳଗୁଡ଼ ଅନ୍ୟତମ। ଗଜପତି ଜିଲ୍ଲାର ପାହାଡ଼ ପାଦଦେଶରେ ପ୍ରଚୁର ମାତ୍ରାରେ ଖଜୁରୀ ଗଛ ଦେଖିବାକୁ ମିଳିଥାଏ। ଏହି ଖଜୁରୀ ଗଛରୁ ରସ ସଂଗ୍ରହ କରାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ଆଖୁରୁ ପ୍ରସ୍ତୁତ ଗୁଡ଼ଠାରୁ ଏହି ତାଳଗୁଡ଼ର ସ୍ୱାଦ ନିଆରା। ଆଖୁରୁ ପ୍ରସ୍ତୁତ ଗୁଡ଼ରେ ମିଠା ଅଂଶ ଅଧିକ ରହୁଥିବା ବେଳେ ତାଳଗୁଡ଼ରେ ମିଠା ଭାଗର ପରିମାଣ କମ୍‌ ରହିଥାଏ। ଏଣୁ ଏହି ତାଳଗୁଡ଼କୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି।

ସୌରା ଆଦିବାସୀ ସଂପ୍ରଦାୟର ଲୋକମାନେ ଏହି ତଳଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଙ୍ଘ ଲିମିଟେଡ୍‌ ପକ୍ଷରୁ ଏହାକୁ କୁଟୀର ଶିଳ୍ପର ମାନ୍ୟତା ଦିଆଯାଇଛି। ଗଜପତି ଜିଲ୍ଲାର ହଜାର ହଜାର ସୌରା ଆଦିବାସୀ ତାଳଗୁଡ଼ ପ୍ରସ୍ତୁତ କରି ନିଜର ଜୀବୀକା ନିର୍ବାହ କରିଥାନ୍ତି।

‘‘ଖଜୁରୀ ଗଛରୁ ରସ ସଂଗ୍ରହ ହେବା ପରେ ଜୈବକି ପ୍ରଣାଳୀରେ ଗୁଡ଼ ତିଆରି କରାଯାଏ। ଏହାର ରଙ୍ଗ କଳା ଧୂସର। ତଳଗୁଡ଼ର ସ୍ୱାଦ ନିଆରା ହୋଇଥିବାରୁ ସବୁ ବର୍ଗଙ୍କୁ ଏହା ଆକର୍ଷିତ କରିଥାଏ। କେନ୍ଦ୍ର ସରକାରଙ୍କ ପରୀକ୍ଷାଗାରରେ ଗଜପତି ତଳଗୁଡ଼ର ନମୁନା ପରୀକ୍ଷା ହୋଇଛି। ଏଥିରେ ଲୌହ ଏବଂ ଭିଟାମିନ ପ୍ରଚୁର ପରିମାଣର ଥିବା ଜଣାପଡ଼ିଛି। ଏହାସହ ଏଥିରେ ଔଷଧୀୟ ଗୁଣ ରହିଥିବାରୁ ବିଭିନ୍ନ ପ୍ରକାରର ଆୟୁର୍ବେଦ ଔଷଧ ତିଆରି କରିବାରେ ଏହାକୁ ବ୍ୟବହାର କରାଯାଇଥାଏ। ବିଶେଷକରି ଶ୍ୱାସ, କଫ, ଗ୍ୟାଷ୍ଟିକ ରୋଗୀଙ୍କ ପାଇଁ ଯେଉଁ ଆୟୁର୍ବେଦ ଔଷଧ ତିଆରି କରାଯାଏ ସେଥିରେ ତାଳଗୁଡ଼ ବ୍ୟବହାର କରାଯାଏ। ଆଖୁରୁ ପ୍ରସ୍ତୁତ ଗୁଡ଼ଠାରୁ ଏଥିରେ ମିଠା ଅଂଶ କମ୍‌ ଥିବାରୁ ଏହାକୁ ମଧୁମେହ ରୋଗୀମାନେ ମଧ୍ୟ ବ୍ୟବହାର କରିଥାନ୍ତି। ଏଥିରେ ପ୍ରଚୁର ଭିଟାମିନ ଏବଂ ପ୍ରାକୃତିକ ଖଣିଜପଦାର୍ଥ ଭରି ରହିଛି’’, କହିଛନ୍ତି ଆଇପିସି ଏକ୍ସପର୍ଟ ତଥା ଯୁବବୈଜ୍ଞାନିକ ଡକ୍ଟର ପି କାର୍ତ୍ତିଗେୟନ।

ସେ ଆହୁରି କହିଛନ୍ତି ଯେ, ‘‘ଗଜପତିର ତାଳଗୁଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ପାଇଁ ପାଖାପାଖି ବର୍ଷେ ସମୟ ଲାଗିପାରେ। ତାଳଗୁଡ଼ର ବୈଜ୍ଞାନିକ ଏବଂ ବୈଷୟିକ ଦିଗକୁ ବିଚାରକୁ ନିଆଯିବ। ଏହାର ଗୁଣବତ୍ତା ଏବଂ ବିଶେଷତ୍ତ୍ୱ ପରଖିବା ପାଇଁ ଏକ ଟିମ୍‌ ମଧ୍ୟ ଗଜପତି ଜିଲ୍ଲା ଯିବେ। ଏହି ପ୍ରକ୍ରିୟା ପାଇଁ ସମୟ ଲାଗିପାରେ।’’

କୌଣସି ଜିନିଷକୁ ଜିଆଇ ଟ୍ୟାଗ୍‌ ମିଳିଲେ ତାହା ତା’ର ବ୍ରାଣ୍ଡ୍ ଭାଲ୍ୟୁ ତଥା କମର୍ସିଆଲ୍ ବା ବ୍ୟବସାୟିକ ମୂଲ୍ୟକୁ ବଢ଼ାଇ ଦେଇଥାଏ। କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଏବେ ଗଜପତିର ତାଳଗୁଡ଼କୁ ମଧ୍ୟ ଜିଆଇ ଟ୍ୟାଗ୍‌ ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଓଡ଼ିଶା ପାଇଁ ଖୁସିର ବିଷୟ।

ଭୁବନେଶ୍ୱର ପଟିଆରେ ରହିଛି ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି)। ଏଠାରେ ଥିବା ଆଇପିଏଫସି ବିଭିନ୍ନ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ ଆବେଦନ କ୍ଷେତ୍ରରେ କାମ କରୁଛି। ତେଣୁ ଟ୍ରେଡମାର୍କ ରେଜିଷ୍ଟ୍ରେସନ୍‌ଠାରୁ ଆରମ୍ଭ କରି ଜିଆଇ ଟ୍ୟାଗ୍‌ ଲାଗି ଆବେଦନ ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ କୌଣସି ସଂସ୍ଥା ବା ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ଇଣ୍ଟେଲେକ୍ଚୁଆଲ୍‌ ପ୍ରପଟି ଫାସିଲିଟେସନ ସେଣ୍ଟର(ଆଇପିଏଫସି)ର ସାହାଯ୍ୟ ନେଇପାରିବେ।

LEAVE A REPLY

Please enter your comment!
Please enter your name here