ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏପଟେ ରଥଖଳାରେ ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଅନ୍ୟପଟେ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବା ଲାଗି ପୁରୀ ପୌର ପ୍ରଶାସନ ନିର୍ଦ୍ଦେଶ ଦେଇ ସାରିଲାଣି। ରଥ ନିର୍ମାଣ ଏବଂ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବା ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ, ରଥଯାତ୍ରା ଏଥର ହେବ। ହେଲେ ରାଜ୍ୟ ସରକାର ଏ ସମ୍ପର୍କରେ କାହିଁକି ସ୍ପଷ୍ଟ ସୂଚନା ଦେଉ ନଥିବାରୁ ଭକ୍ତ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକଙ୍କୁ ବ୍ୟଥିତ କରିଛି। ରଥଯାତ୍ରାକୁ ଆଉ ୭ ଦିନ ବାକି ଥିବା ବେଳେ ସରକାର କେବେ ନିଷ୍ପତ୍ତି ନେବେ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କରୋନା ସମୟରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି। ଓଡ଼ିଶା ବିକାଶ ପରିଷଦ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଭାରତ ବିକାଶ ପରିଷଦ ମଧ୍ୟ ରଥ ଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଛି। ଏହି ମାମଲର ଶୁଣାଣି ୧୮ ତାରିଖରେ ହେବ। ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର କହି ସାରିଥିବା ବେଳେ ସରକାର କ’ଣ ପାଇଁ ଦିନ ଗଡ଼ାଉଛନ୍ତି ତାହା ବୁଝା ପଡୁନି। ସରକାର ଦିନ ଗଡ଼ାଉଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି।

‘‘ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ଆରାଧ୍ୟ ଦେବତା। ସାରା ବିଶ୍ୱବାସୀ ଚାହାନ୍ତି ରଥଯାତ୍ରା ହେଉ। ଏଥିପାଇଁ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ। ରାଜ୍ୟ ସରକାର ଆଉ ବିଳମ୍ବ ନକରି ରଥଯାତ୍ରା ପାଇଁ ସବୁଜ ସଙ୍କେତ ଦିଅନ୍ତୁ। ଦିନେ ଦୁଇ ଦିନ ଭିତରେ ରାଜ୍ୟ ସରକାର ରଥଯାତ୍ରା ନିଷ୍ପତ୍ତି ନେବା ଦରକାର’’, କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ‘‘ରାଜ୍ୟ ସରକାର ରଥଯାତ୍ରା ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ରଥ ନିର୍ମାଣ କାମ ଆଗେଇଥିବା ବେଳେ ସରକାର ଦ୍ୱନ୍ଦ୍ୱରେ ନରହି ସରକାର ନିଷ୍ପତ୍ତି ନେଇଯିବା ଦରକାର।’’

ରଥଯାତ୍ରା ବିନା ଭକ୍ତରେ ଆୟୋଜନ କରିବାକୁ ଦାବି ହେଉଛି। ରଥଯାତ୍ରା ବନ୍ଦ ହେଲେ ପରମ୍ପରାରେ କଳଙ୍କ ଲାଗିବ ବୋଲି ସେବାୟତମାନେ କହିଛନ୍ତି। ଏ ପ୍ରସଙ୍ଗରେ ଦଇତାପତି ସେବାୟତମାନେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କୁ ଭେଟିଛନ୍ତି। ଏଣୁ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment