ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ଭିତରେ ସବୁବେଳେ ସୀମା ବିବାଦ ଲାଗି ରହିଥାଏ। କିନ୍ତୁ ଉଭୟ ସେନା ପକ୍ଷରୁ କେବେ ଗୁଳିଗୋଳାବର୍ଷଣ କରାଯାଏ ନାହିଁ। ହେଲେ ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ସମର୍ଥନ କରୁଥିବା ଚୀନ ସେନା ଭାରତୀୟ ସୀମାରେ ହସ୍ତକ୍ଷେପ କରିବା ପାଇଁ ସବୁବେଳେ ଚେଷ୍ଟା କରିଆସିଛି। ଭାରତୀୟ ସେନା ବି ଏହାର ଉଚିତ ଜବାବ ଦେଇଛି। ଏମିତି ବି ସମୟ ଆସିଛି ଉଭୟ ସେନା ମାସ ମାସ ଧରି ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଏହି ସଂଘର୍ଷରେ କୌଣସି ସୈନ୍ୟଙ୍କର ମୃତ୍ୟୁ ହୋଇନଥିଲା। କିନ୍ତୁ ଦୀର୍ଘ ୪୪ ବର୍ଷ ପରେ ଗଲଓ୍ୱାନ ଘାଟିରେ ହୋଇଥିବା ଏହି ସଂଘର୍ଷ ଇତିହାସକୁ ବଦଳାଇ ଦେଇଛି। କାରଣ ଏଥିରେ ଉଭୟ ପକ୍ଷର ଅନେକ ସୈନ୍ୟ ମୃତାହତ ହୋଇଛନ୍ତି।

ପୂର୍ବରୁ ମଧ୍ୟ ଭାରତ- ଚାଇନା ମଧ୍ୟରେ ଏଭଳି ଅନେକ ସଂଘର୍ଷ ହୋଇଛି ଯେଉଁଥିରେ ଅନେକ ସୈନ୍ୟଙ୍କର ମୃତ୍ୟୁ ହୋଇଛି।

୧୯୬୨ର  ଭାରତଚାଇନା ଯୁଦ୍ଧ

ଉଭୟ ଦେଶ ମଧ୍ୟରେ ୧୯୬୨ ମସିହା ଅକ୍ଟୋବର ୨୦ ତାରିଖରେ ସବୁଠୁ ବଡ଼ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପରେ ଯୁଦ୍ଧରେ ପରିଣତ ହୋଇଥିଲା। କୁହାଯାଏ ଏହି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିଲା ଭାରତ। କାରଣ ଚୀନ ହଠାତ୍ ଆକ୍ରମଣ କରିବ ବୋଲି ଭାରତ ଭାବି ନ ଥିଲା। ଏହି ଯୁଦ୍ଧରେ ଚୀନର ୭୨୨ ସୈନ୍ୟଙ୍କର ମୃତ୍ୟୁ ହୋଇଥିବାବେଳେ ହଜାରରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। କିନ୍ତୁ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିବା ଭାରତର ୧,୩୮୩ ଜଣ ଯବାନ ସହିଦ ହେବା ସହ ୧,୦୪୭ ଯବାନ ଆହତ,  ୧,୬୯୬ ଜଣ ନିଖୋଜ ଏବଂ ୩,୯୬୮ ଯବାନଙ୍କୁ ଯୁଦ୍ଧବନ୍ଦୀ କରିଥିଲା ଚୀନ। ଏଣୁ ଯୁଦ୍ଧରେ ଚୀନ ବିଜୟୀ ହୋଇଥିଲା।

୧୯୬୭ର ନାଥୁ ଲା ସଂଘର୍ଷ

୧୯୬୭ ମସିହାରେ ଚୀନର ଦୁଃସାହସକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ୧୯୬୭ ମସିହାରେ ଭାରତ ନାଥୁ ଲା ରୁ ସେବୁ ଲା ପର୍ଯ୍ୟନ୍ତ ତାର ବାଡ଼ ସାହାଯ୍ୟରେ ସୀମା ନିର୍ଦ୍ଧାରଣ କରିବା ପରେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ତିବ୍ବତ- ସିକ୍କିମ ସୀମାରେ ଭୂପୃଷ୍ଠଠାରୁ ୧୪,୨୦୦ ଫୁଟ ଉଚ୍ଚରେ ରହିଛି ନାଥୁ ଲା। ଏହାରି ପାଖ ଦେଇ ପୁରୁଣା ଗ୍ୟାଙ୍ଗଟକ୍- ୟାତୁଙ୍ଗ- ଲ୍ହ୍ୟାସା ବାଣିଜ୍ୟ ପଥ ଯାଇଛି। ୧୯୬୫ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ନାଥୁ ଲା ଏବଂ ଜେଲେପ ଲା ଖାଲି କରିବାକୁ ଚୀନ ଭାରତକୁ କହିଥିଲା। ଏହାପରେ ଭାରତ ଜେଲେପ ଲା ଖାଲି କରିଦେଲା, ମାତ୍ର ନାଥୁ ଲା ଖାଲି କଲାନାହିଁ । ଏହାପରେ ନାଥୁ ଲା ବିବାଦ ଘେରକୁ ଚାଲିଆସିଥିଲା। ଭାରତ ସୀମା ନିର୍ଦ୍ଧାରଣ କରିବାକୁ ନେଇ ଉଭୟ ଦେଶ ମଧ୍ୟରେ ସଂଘର୍ଷ ହେଲା। ଚୀନ ପକ୍ଷରୁ ଭାରତୀୟ ସେନାଙ୍କ ଉପରେ ମେସିନ ଗନ ସାହାଯ୍ୟରେ ଆକ୍ରମଣ ମଧ୍ୟ ହୋଇଥିଲା।

ଏହାର ୨୦ ଦିନ ପରେ ଚୀନ ସେନା ଭାରତୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଚା କରିଥିଲା। ୧୯୬୭ ମସିହା ଅକ୍ଟୋବର ମାସରେ ଚୋ ଲାଠାରେ ଏହି ସଂଘର୍ଷ ହୋଇଥିଲା। ଚୋ ଲା ନାଥୁ ଲାର ନିକଟରେ ଥିଲା। ଏହି ସଂଘର୍ଷରେ ଭାରତର ୮୦ ସୈନ୍ୟ ସହିଦ ହୋଇଥିବାବେଳେ ଚୀନର ୩୦୦ ରୁ ୪୦୦ ସୈନ୍ୟ ନିହତ ହୋଇଥିଲେ। ଏହି ସଂଘର୍ଷରେ ବିଜୟୀ ଭାରତ ୧୯୬୨ ମସିହା ଯୁଦ୍ଧର କଡ଼ା ଜବାବ ଦେଇଥିଲା।

୧୯୭୫ରେ ଚୀନର ଆକ୍ରମଣ

୧୯୬୭ ର ଏହି ପରାଜୟକୁ ସହଜେ ହଜମ କରିପାରିନଥିଲା ଚୀନ। ଏଣୁ ସୀମାରେ ଲଗାତାର ନିଜର ଉପସ୍ଥିତି ଜାହିର କରି ଭାରତର ଚିନ୍ତା ବଢ଼ାଇଥିଲା। ୧୯୭୫ ମସିହାରେ ସୁଯୋଗ ଖୋଜି ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କଲା ଚୀନ। ଅରୁଣାଚଳ ପ୍ରଦେଶର ତୁଲୁଙ୍ଗ ଲାରେ ଆସାମ ରାଇଫଲ୍ସର ଯବାନଙ୍କ ପେଟ୍ରୋଲିଂ ଟିମ୍ ଉପରେ ଚାଇନା ଆକ୍ରମଣ କଲା। ଏଥିରେ ୪ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

୧୯୮୭ରେ ତାଓ୍ଵାଙ୍ଗର ଉତ୍ତରରେ ଥିବା ସମଦୋରାଙ୍ଗ ଚୁ ଅଞ୍ଚଳରେ ପୁଣି ଉଭୟ ସେନା ମୁହାଁମୁହିଁ ହୋଇଥିଲେ।

ସମଦୋରାଙ୍ଗ ଚୁ ର ଭାରତୀୟ ଅଞ୍ଚଳରେ ଚୀନ ନିଜର ଶିବିର ସ୍ଥାପନ କରିଥିଲା। ଭାରତ ପକ୍ଷରୁ ଚୀନକୁ ନିଜ ସୀମାକୁ ଫେରିଯିବା ଲାଗି ବୁଝାଯାଇଥିଲା। କିନ୍ତୁ ଅମାନିଆ ଚୀନ ଏହାକୁ ମାନି ନ ଥିଲା।

ଏହାପରେ ଭାରତୀୟ ସେନା ପକ୍ଷରୁ ଅପରେସନ ଫାଲକନ ଆରମ୍ଭ ହୋଇଥିଲା। ଭାରତୀୟ ଯବାନମାନେ ହାଥୁଙ୍ଗ ଲା ପାହାଡ଼ିରେ ଜଗି ରହିଥିଲେ। ଏହିଠାରୁ ହିଁ ସେମାନେ ସମଦୋରାଙ୍ଗ ଚୁ ସମେତ ଆଉ ତିନିଟି ପାହାଡ଼ିଆ ଅଞ୍ଚଳ ଉପରେ ନଜର ରଖୁଥିଲେ। ଲଦାଖଠାରୁ ସିକ୍କିମ ପର୍ଯ୍ୟନ୍ତ ଭାରତୀୟ ସେନା ଚୀନକୁ ଘେରିଗଲେ ଏବଂ ଉଭୟ ଦେଶ ଭିତରେ ବୁଝାମଣା ଭିତ୍ତିରେ ମାମଲା ଶାନ୍ତ ପଡ଼ିଥିଲା।

ସେବେଠାରୁ ୨୦୨୦ ଜୁନ ୧୫ ପର୍ଯ୍ୟନ୍ତ ଭାରତ ଏବଂ ଚୀନ ଭିତରେ ସୀମାକୁ ନେଇ ଏଭଳି ସଂଘର୍ଷ ହୋଇ ନ ଥିଲା।

LEAVE A REPLY

Please enter your comment!
Please enter your name here