ଓଡିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ସଙ୍କଟ ଭିତରେ ରଥଯାତ୍ରା ହେବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଉ ୬ ଦିନ ରହିଥିବା ବେଳେ ସରକାର କୌଣସି ଘୋଷଣା କରୁ ନାହାନ୍ତି। ରଥଯାତ୍ରା ସମ୍ପର୍କରେ ସମସ୍ତେ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାଗ ଠିକ୍ ରହିଲେ ଆସନ୍ତା ତିନିଦିନ ଭିତରେ ରଥକାମ ଶେଷ ହେବ ବୋଲି ଆଶା କରାଯାଉଛି।
ସୋମବାର ବର୍ଷା ହେବାରୁ ରଥ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବା ପରେ ମହାରଣା, ରୂପକାର, ଚିତ୍ରକର, ଭୋଇ ଏବଂ କମାର ସେବାୟତମାନେ ରଥ ନିର୍ମାଣ କାମରେ ଲାଗିପଡ଼ିଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ବସିବା ପାଇଁ ସିଂହାସନ ନିର୍ମାଣ ସରିଯାଇଛି। ଏବେ ‘ପ୍ରଭା’ ତିଆରି ଚାଲିଛି। ଏହାସହ ଚିତ୍ରକର ସେବକମାନେ ରଥ ଚାରିପଟେ ଥିବା ପାର୍ଶ୍ଵ ଦେବାଦେବୀମାନଙ୍କ ବିଗ୍ରହରେ ରଙ୍ଗ ଦେଉଛନ୍ତି।
“ଯଦି ପାଗ ଅନୁକୂଳ ରହେ ଖୁବଶୀଘ୍ର ରଥ ନିର୍ମାଣ କାମ ଶେଷ ହେବ ବୋଲି ଆମେ ଆଶା କରୁଛୁ। କିନ୍ତୁ ଯଦି ବର୍ଷା ହୁଏ ତେବେ ରଥ ନିର୍ମାଣ ବାଧାପ୍ରାପ୍ତ ହେବ”, କହିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ମହାରଣା ସେବକ ନରସିଂହ ମହାପାତ୍ର।
ଚିତ୍ରକର ଚିତ୍ତରଞ୍ଜନ ମହାରଣା କହିଛନ୍ତି, “ଲକଡାଉନ ଯୋଗୁ ରଥ ନିର୍ମାଣ ସମୟରେ ସମ୍ବଳର ଅଭାବ ଦେଖାଦେଉଛି। ତଥାପି ଆମେ ପାଖରେ ଥିବା କଞ୍ଚାମାଲ ବ୍ୟବହାର କରି କାମ କରୁଛୁ ଏବଂ କାମ ଜଲଦି ଶେଷ ହେବ ବୋଲି ଆଶା କରୁଛୁ।”
ଓଡ଼ିଶା ହାଇକୋର୍ଟ ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ତିନି ଦିନ ଭିତରେ ରଥ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି।


















