ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା। ବିବିଧ ଏବଂ ଆକର୍ଷଣୀୟ ଲୋକକଳାକୁ ନେଇ ଆମ ରାଜ୍ୟ ସମୃଦ୍ଧ । ଏହି ଲୋକକଳା ମଧ୍ୟରୁ ପଶ୍ଚିମ ଓଡ଼ିଶାର ଲୋକକଳା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ସେଥିମଧ୍ୟରୁ ‘ରସରକେଲି’ ଲୋକନୃତ୍ୟ ଅନ୍ୟତମ। ସମ୍ବଲପୁରର ଏହି ପ୍ରସିଦ୍ଧ ଲୋକନୃତ୍ୟ ଯେ କେହି ବି ଶୁଣନ୍ତି ପାଦ ନ ଉଠାଇ ରହିପାରନ୍ତି ନାହିଁ । ଢୋଲ, ନିଶାନ୍, ତାସାର ତାଳେ ତାଳେ ହଜିଯା’ନ୍ତି ସମସ୍ତେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ୍‌ ୧୪କୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି। ୨୦୧୯ ଲୋକକଳା ମହୋତ୍ସବରେ ଏହି ‘ରସରକେଲି’ ଲୋକନୃତ୍ୟ ଉପସ୍ଥାପନ କରାଯାଇଥିଲା। ସମ୍ଵଲପୁରୀ ଲୋକନୃତ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅଗ୍ରଣୀ ନ୍ୟୁଜ୍‌ ପୋଟାଲ ଓଡ଼ିଶାଲାଇଭ୍‌ ଏହି କାର୍ଯ୍ୟକ୍ରମକୁ ରେକର୍ଡ କରି ପ୍ରଚାର ପ୍ରସାର କରୁଛି।ଏହି ‘ରସରକେଲି’କୁ କଳାକାରମାନେ ସମ୍ଵଲପୁରୀ ଗୀତ ଗାଇ, ପାରମ୍ପରିକ ସମ୍ବଲପୁରୀ ବାଦ୍ୟ ବଜାଇ ନୃତ୍ୟ ମାଧ୍ୟମରେ ପରିବେଷଣ କରିଛନ୍ତି। ଏଥିରେ ଗାୟକ ମା’ ସମଲେଇଙ୍କ ଭଜନ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଢୋଲ, ଖଞ୍ଜଣି, ନିଶାନ୍‌ ଓ ତାସାର ତାଳେ ତାଳେ ଝୁମିଛନ୍ତି ଦର୍ଶକ।

‘ଲୋକକଳା’ ଆମ ସଂସ୍କୃତିର ଏକ ପ୍ରାଚୀନ ତଥା ଅନନ୍ୟ ଦିଗ। ଓଡ଼ିଶାର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଏହାର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ସହ ଲୋକକଳାକାରମାନଙ୍କର ଜୀବିକାରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।ଏଥିପାଇଁ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ବ୍ଲକ, ଜିଲ୍ଲା, ନଗର ଏବଂ ରାଜ୍ୟସ୍ତରୀୟ ଲୋକକଳା ସଂଘ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ୪୭୧ ପ୍ରକାରର ଲୋକକଳା ସହିତ ୯ ହଜାରରୁ ଅଧିକ ଲୋକକଳା ଦଳ ରହିଛି। ୧ ଲକ୍ଷ ୫୦ ହଜାରରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ୧୫ଟି ନଗରକଳା ସଂଘ ମଧ୍ୟ ଗଠନ କରାଯାଇଛି।ଗତ ଜୁନ୍‌ ୧୪ ତାରିଖରେ ଦ୍ୱିତୀୟ ଲୋକକଳା ଦିବସ ପାଳନ କରାଯାଇଥିଲା। ଚଳିତବର୍ଷ କରୋନା ମାହାମରୀ ଯୋଗୁଁ ମଞ୍ଚ କାର୍ଯ୍ୟକ୍ରମ ହୋଇ ନ ଥିଲା। ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରାଯାଇଥିଲା।

Comment