ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୁଚିନ୍ତିତ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି।

ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଛୁଟି ଦିନରେ ମଧ୍ୟ ଖୋଲିଥାଏ। ତେଣୁ ଗତକାଲି ସୁପ୍ରିମକୋର୍ଟ ସ୍ୱେଚ୍ଛାକୃତ ଭାବେ ଆବେଦନ ଗ୍ରହଣ କରିପାରିଥାନ୍ତେ। ହେଲେ କୋର୍ଟ ସେପରି କଲେ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଓ ରଥଯାତ୍ରା ମଧ୍ୟରେ ମାତ୍ର ଗୋଟିଏ ଦିନର ଅନ୍ତର ରହିଛି। ଏପରି ହେଲେ ରଥଯାତ୍ରା ଆୟୋଜନ ସମ୍ଭବପର ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।ଏହାପୂର୍ବରୁ ମଧ୍ୟ କଟକଣାଯୁକ୍ତ ରଥଯାତ୍ରା ଆୟୋଜନ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ମତପୋଷଣ କରିଥିଲେ। ଯାହା ଫଳରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବା ସହିତ ଭକ୍ତମାନେ ମଧ୍ୟ ଟିଭି ପରଦାରେ ନିଜର ଭଗବାନଙ୍କୁ ଦର୍ଶନ କରିପାରିବେ ବୋଲି ସେ କହିଥିଲେ। ସେହିପରି ଗତକାଲି ଶ୍ରୀମନ୍ଦିର ପରିଚାଳନା ଓ ଛତିଶନିଯୋଗର ବୈଠକ ପରେ ଗଜପତି ମହାରାଜା ମଧ୍ୟ ରଥଯାତ୍ରା ହେବା ନେଇ ମତପ୍ରକାଶ କରିଛନ୍ତି।

କିଛି ଦିନ ତଳେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଚଳିତ ବର୍ଷର ରଥଯାତ୍ରାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଏପରି ରାୟ ଶୁଣାଇଥିଲେ। ହେଲେ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ଆବେଦନ ହୋଇଛି। ସୋମବାର ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିବେ। ଏହି ଶୁଣାଣି ଉପରେ ହିଁ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ନିର୍ଭର କରୁଛି।

Comment