ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ତିନି ରଥ। ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟା ଯିବ, ଘୋଡ଼ା ଯୋଚା ହେବ ଏବଂ ପରେ ରଥଟଣା ହେବ। ରଥ ଟାଣିବା ପାଇଁ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଗୋଟିଏ ରଥକୁ ୫୦୦ ଜଣ ସେବାୟତ ଟାଣିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସେହିପରି ଗୋଟିଏ ରଥ ଟଣା ହେବାର ୧ ଘଣ୍ଟା ପରେ ଆଉ ଗୋଟିଏ ରଥ ଗଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଲାଗିପଡ଼ିଛନ୍ତି। ଦିନ ୧୨ଟାରୁ ରଥଟଣା ଆରମ୍ଭ ହେବ।
କରୋନା କଟକଣା ଭିତରେ ଚଳିତବର୍ଷ ରଥଯାତ୍ରା ଆୟୋଜନ କରାଯାଇଛି। ହଁ ନାହିଁ ଭିତରେ ଶେଷରେ ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ସହିତ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କହିଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ୧୧୪୩ ଜଣ ସେବାୟତଙ୍କର କରୋନା ନମୁନା ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ଜଣକର ନମୁନା ପଜିଟିଭଇ ଆସିଥିଲା। ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଚଳିତବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯାଇଛି। ପୁରୀ ବାହାରୁ କିମ୍ବା ଭିତରୁ କୌଣସି ଲୋକ ବଡ଼ଦାଣ୍ଡକୁ ଆସି ନାହାନ୍ତି। ଏଥିପାଇଁ ଗତକାଲି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏହାସହ ପୁରୀର ସମସ୍ତ ପ୍ରବେଶପଥକୁ ସିଲ୍ କରିଦିଆଯାଇଛି। କୋଭିଡ୍ କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯାଉଛି।


















