ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସ୍କୁଲଗୁଡ଼ିକୁ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ଜୁଲାଇ ୩୧ ତାରିଖ ପରେ ନିଆଯିବ। କରୋନା କଟକଣା ଭିତରେ ସ୍କୁଲ ଖୋଲାଯିବାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି ଯେ, ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲାଯିବାକୁ ନେଇ ନିଷ୍ପତ୍ତି ନିଆଯିବ। ଏବେ ଅନଲାଇନ୍ ଜରିଆରେ ପିଲାମାନେ ପାଠ ପଢ଼ୁଛନ୍ତି। ତେବେ ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ପିଲା ଅନଲାଇନରେ ପାଠ ପଢ଼ିପାରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଅନଲାଇନ୍ ଜରିଆରେ ପିଲାମାନେ କିଭଳି ବିଭିନ୍ନ କୋର୍ସକୁ ନେଇ ପାଠ ପଢ଼ିବେ ସେନେଇ ବିଭାଗ ଚିନ୍ତା କରୁଛି। ଏଥିପାଇଁ ଏକ ଏକ୍ସପର୍ଟ କମିଟି ମଧ୍ୟ ଗଠନ କରାଯାଇଛି। ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଛନ୍ତି।
କରୋନା କାରଣରୁ ଏବେ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ତେଣୁ ପିଲାମାନେ ଘରେ ରହି ପାଠ ପଢ଼ୁଛନ୍ତି। ତେବେ ଏବେ ବି ଅନେକ ପିଲା ଅନଲାଇନ୍ ଜରିଆରେ ପାଠ ପଢ଼ିପାରୁନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

















