ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଅତି କ୍ଷୀପ୍ର ବେଗରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ତେବେ କୋହଲା ପାଗ ତଥା ବର୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାପମାତ୍ରାକୁ ନେଇ କରୋନା ଭାଇରସର ପ୍ରଭାବ ଉପରେ କୌଣସି ସ୍ପଷ୍ଟୀକରଣ ହୋଇନଥିଲେ ମଧ୍ୟ ବର୍ଷାପାଗରେ ଏହାର ପ୍ରଭାବ ବଢ଼ିବାର ଆଶଙ୍କା ରହିଛି।

ବର୍ଷାଦିନରେ ଡେଙ୍ଗୁ, ମେଲେରିଆ, ଚିକେନଗୁନିଆ ଆଦି ରୋଗର ଅଧିକ ସମ୍ଭାବନା ଥାଏ। ଏହି ରୋଗଗୁଡ଼ିକର ଲକ୍ଷଣ ମଧ୍ୟ କରୋନା ରୋଗର ଲକ୍ଷଣ ଭଳି ଯେପରିକି ଜ୍ୱର, ସର୍ଦ୍ଦି, ଗଳାରେ ବଥା, ବାନ୍ତି ଇତ୍ୟାଦି। ତେଣୁ ଏହି ଲକ୍ଷଣକୁ ନେଇ ଯେପରି ଭ୍ରମରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ନିତି ଆୟୋଗର ସଦସ୍ୟ ଡାକ୍ତର ବି.କେ ପାଲଙ୍କ କହିବା ଅନୂଯାୟୀ ମଣିଷର ନାକ ତଥା ମୁହଁରୁ ବାହାରୁଥିବା ଡ୍ରପଲେଟ ହିଁ କରୋନା ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ। ତେଣୁ ବର୍ଷାଦିନେ ଏହି ଡ୍ରପଲେଟ ବାହାରିବାର ମାତ୍ରା ବଢ଼ିଯାଏ। ସାଧାରଣତଃ କୌଣସି ସରଫେସରେ ଛଅରୁ ଆଠ ଘଣ୍ଟା ସକ୍ରିୟ ରହିଥିବା ଏହି ଭାଇରସ ବର୍ଷାଦିନେ ବାର ଘଣ୍ଟା ପାଖାପାଖି ସକ୍ରିୟା ରହୁଥିବାର ଆଶଙ୍କା କରାଯାଉଛି। ତେଣୁ ଏହି ସମୟରେ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।

















