ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଉସୀ ମା’ଙ୍କ ଘରେ ନଅ ଦିନ ରହି ଫେରିଲେ ବଡ ଠାକୁର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ। ସାଙ୍ଗରେ ଥିଲେ ଭାଇ ଭଉଣୀ। ଆଜି ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରିଛନ୍ତି ପଣ୍ଡା ଓ ସେବକମାନେ। ପ୍ରତୀକ ରଥ ଉପରେ ମହାବାହୁ ୩ ଦିନ ବିରାଜମାନ କରିବେ ଓ ପରେ ନିଳାଦ୍ରିବିଜେ କରିବେ।

ଶ୍ରୀଗୁଣ୍ଡିଚା ପରି ବାହୁଡ଼ା ଯାତ୍ରା ମଧ୍ୟ ବିନା ଭକ୍ତରେ ହୋଇଛି ତୁଳସୀକ୍ଷେତ୍ରରେ। ବିଧି ଅନୁସାରେ ଆଜି ତୁଳସୀକ୍ଷେତ୍ରରେ ମାଉସୀମାଙ୍କ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥାଏ। ଶ୍ରୀକ୍ଷେତ୍ରରେ ସାନଭାଇ ଜଗାର ବାହୁଡା ରଥ ଟାଣିଥିବା ଭକ୍ତ ତା’ପର ଦିନ ତୁଳସୀକ୍ଷେତ୍ରରେ ବଳିଆର ରଥ ଟାଣି ପୂର୍ଣ୍ଣ ପୂଣ୍ୟ ଲାଭକରିବାର ପରମ୍ପରା ରହିଛି। ଭକ୍ତ ପାଇଁ ତୁଳସୀକ୍ଷେତ୍ରରେ ମହାପ୍ରଭୁ ବଳିଆ ସାଆନ୍ତ ନିଜ ରଥକୁ ଆଉ ଗୋଟିଏ ଦିନ ଅଧିକ ଅଟକାଇ ଥାଆନ୍ତି ବଡ ଦାଣ୍ଡରେ। ଏମିତି ଏକ ବିରଳ ପରମ୍ପରା ରହିଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ।

ଆଜି ଦିନ ୧୨ଟା ପରେ ମହାପ୍ରଭୁଙ୍କ  ଜନ୍ମ ବେଦୀ କୁହାଯାଉଥିବା ବାଟଦେଉଳରେ ନିତି ସ୍ନାନ, ବଲ୍ଲଭ ଓ ଖେଚୁଡି ଧୂପ ସମାପନ କରାଯାଇଥିଲା। ୧ଟା ପରେ ସେନାପଟା କରି ମହାପ୍ରଭୁଙ୍କୁ ସଜକରି ଦେଇଥିଲେ ପଣ୍ଡାମାନେ। ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଧାଡି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ବ୍ରହ୍ମ ତାଳଧ୍ଵଜ ରଥ କୁହାଯାଉଥିବା ସ୍ନାନମଣ୍ଡପରେ ବିଜେ କରାଯାଇଛି। ରଥରେ ଛେରାପହଁରା କରାଯିବା ପରି ଠାକୁରଙ୍କ ରାଜପୁରୋହିତ ଛେରାପହଁରା ନୀତି ଶେଷ କରିଥିଲେ। ଏହାପରେ ରଥରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଛି। ୩ ତାରିଖରେ ମହାପ୍ରଭୁ ରତ୍ନ ମଣ୍ଡପକୁ ଫେରିବେ।

LEAVE A REPLY

Please enter your comment!
Please enter your name here