ଓଡ଼ିଶାଲାଇଭ ବ୍ୟୁରୋ
ଦେଶର ସବୁଠାରୁ ଧନୀ ମହିଳା ୩୮ ବର୍ଷୀୟା ରୋଶନି ନାଦର ଶୁକ୍ରବାର ଦିନ କୌଣସି ସୂଚୀବଦ୍ଧ ଆଇଟି କମ୍ପାନିର ପ୍ରଥମ ମହିଳା ମୁଖ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ତାଙ୍କ କୋଟିପତି ପିତା ଶିବ ନାଦରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶିବ ନାଦରଙ୍କ କମ୍ପାନି ଏଚସିଏଲ ଟେକ୍ନୋଲୋଜି ଭାରତର ଆଇଟି କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନି ରୂପେ ପରିଚିତ। ପୂର୍ବରୁ କୌଣସି ମହିଳା କୌଣସି ଆଇଟି କମ୍ପାନୀର ଚେୟାରପର୍ଶନ ହେବାର ଉଦାହରଣ ନାହିଁ।
ଜଣେ ଭଲ ସଙ୍ଗୀତକାର, ରୋଶନି ୨୦୧୩ ମସିହାରେ ଏଚସିଏଲ ଟେକ୍ନୋଲଜି ବୋର୍ଡ଼ ଅଫ ଡିରେକ୍ଟରରେ ଯୋଗ ଦେଇଥିଲେ। ସେ ଭାଇସ ଚେୟାରପର୍ଶନ ଭାବେ କମ୍ପାନିରେ ଭର୍ତ୍ତି ହୋଇଥିଲେ। ଏବେ ନୂଆ ଦାୟିତ୍ୱ ପରେ ବି ରୋଶନି ଏଚ୍ସିଏଲର ସମସ୍ତ ହୋଲଡିଂ କମ୍ପାନିର ସିଇଓ ଭାବେ କାର୍ଯ୍ୟ ସମ୍ପାଦନ କରି ଚାଲିବେ।
ଶିବ ନାଦର ଏଚସିଏଲ ଟେକ୍ନୋଲୋଜିର ସଂସ୍ଥାପକ ପଦରୁ ହଟିବେ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ତାଙ୍କର ଇସ୍ତଫା ଦେବା ପରେ ରୋଶନି ନୂଆ ମୁଖ୍ୟ ହେଲେ ବୋଲି ଜୁଲାଇ ୧୭ ତାରିଖରେ ଘୋଷଣା କରାଯାଇଛି। ରୋଶନିଙ୍କ ପିତା ଶିବ ନାଦର ଏଣିକି କମ୍ପାନିର ପ୍ରମୁଖ ରଣନୀତିକାର ଓ ପରିଚାଳନା ନିର୍ଦେଶକ ଭାବେ ପରିଚିତ ହେବେ।
ଉତ୍ତରାଧିକାର ସୂତ୍ରରେ ନଅ ବିଲିୟନ ଡଲାର ବିଶିଷ୍ଟ ଏଚସିଏଲ କମ୍ପାନିର ଅଧ୍ୟକ୍ଷା ହୋଇଥିବା ରୋଶନି ଦିଲ୍ଲୀର ବସନ୍ତ ଭ୍ୟାଲି ସ୍କୁଲରେ ପଢିଥିଲେ। ଇଲିନୋଇସର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟିରୁ ସେ ଗଣ ମାଧ୍ୟମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। କେଲଗ ସ୍କୁଲ ଅଫ ମ୍ୟାନେଜମେଣ୍ଟରୁ ସେ ଏମବିଏ ମଧ୍ୟ କରିଛନ୍ତି। ଏଚସିଏଲରେ ଯୋଗ ଦେବା ପୂର୍ବରୁ ରୋଶନି ବ୍ରିଟେନର ସ୍କାଇ ନ୍ୟୁଜ ଓ ଆମେରିକାର ସିଏନଏନ ସହିତ ନ୍ୟୁଜ ପ୍ରଡ୍ୟୁସର ଭାବରେ କାର୍ଯ୍ୟ କରିଥିଲେ। ଏଚସିଏଲ ହେଲଥ କେୟାରର ଉପସଭାପତି ଶିଖର ମାଲହୋତ୍ରାଙ୍କୁ ସେ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ପୁଅ ଅଛନ୍ତି।
ନବୀନତମ ହୁରୁନ ରିଚ ଲିଷ୍ଟ ଅନୁଯାୟୀ ରୋଶନି ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା। ତାଙ୍କର ମୋଟ ସମ୍ପତ୍ତି ୩୬,୮୦୦ କୋଟି ଟଙ୍କା। ୨୦୧୯ରେ ଫୋର୍ବସ ୱାର୍ଲଡ଼ ତାଲିକାରେ ବିଶ୍ୱର ଶହେ ଶକ୍ତିଶାଳୀ ମହିଳାଙ୍କ ଭିତରେ ୫୪ ସ୍ଥାନରେ ରୋଶନି ରହିଥିଲେ। ବ୍ୟବସାୟ ତଥା ସମାଜସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ପ୍ରତିଷ୍ଠିତ ସମ୍ନାନ ମିଳିଛି। ୨୦୧୭ରୁ ୨୦୧୯ ମସିହା ଭିତରେ ରୋଶନି ନାଦର ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ଭାବରେ ଲଗାତାର ଫୋର୍ବସ ତାଲିକାରେ ସାମିଲ ହୋଇ ଆସିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶିବ ନାଦର ଫାଉଣ୍ଡେସନ ପକ୍ଷରୁ ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାରେ ‘ଶିବ ନାଦର ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରାଯାଇଛି।ନିଚ୍ଛକ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ଓ ଆନ୍ତଃବିଷୟକ ଶିକ୍ଷାଦାନ କ୍ଷେତ୍ରରେ ଶିବ ନାଦର ୟୁନିଭରସିଟି ଭାରତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି।











