ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିସା ଜାଲିଆତି ଅଭଯୋଗରେ ଓଡ଼ିଆ ସିଇଓ ପ୍ରଦ୍ୟୁମ୍ନ କୁମାର ସାମଲ ନ୍ୟୁୟର୍କରୁ ଗିରଫ ହୋଇଛନ୍ତି।

ଜଣେ ଓଡ଼ିଆ ସିଇଓଙ୍କୁ ଭିସା ଜାଲିଆତି ଅଭଯୋଗରେ ନ୍ୟୁୟର୍କରେ ଗିରଫ କରାଯାଇଛି। ସେ ଆମେରିକାର ଦୁଇଟି ଆଇଟି କମ୍ପାନିର ମୁଖ୍ୟ ଅଧିକାରୀ ଥିଲେ। ଜାଲ କାଗଜପତ୍ର ଜରିଆରେ ଏଚ୧ ବି ଭିସା ହାସଲ କରିବା ସହ ୨୦୦ ଜଣ ବିଦେଶୀ ନାଗରିକଙ୍କୁ ବେନିୟମ ଭାବରେ ଆମେରିକା ଆଣିବା ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଆସିଛି।

ତାଙ୍କ ନାଁ ହେଉଛି ପ୍ରଦ୍ୟୁମ୍ନ କୁମାର ସାମଲ। ବୟସ ୪୯ ବର୍ଷ। ସିଆଟଲ ବିମାନ ବନ୍ଦରରେ ପହଁଚିବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ମାସରେ ଏହି ଭିସା ଜାଲିଆତି ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଥିଲା।

ଏହା ପରେ ସେ ଆମେରିକା ଛାଡ଼ି ପଳାଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିଲା। ଚଳିତ ସପ୍ତାହରେ ସେ ଆମେରିକା ଫେରିବା ପରେ ଆମେରିକା ପୋଲିସ ତାଙ୍କୁ ହାଜତକୁ ନେଇଛି।

ଅଭିଯୋଗ ଅନୁଯାୟୀ ୨୦୧୦ ଓ ୨୦୧୧ରେ ସାମଲ ୱାଶିଂଟନରେ ଦୁଇଟି କମ୍ପାନି ଖୋଲିଥିଲେ। ଏହି କମ୍ପାନି ଦୁଇଟିକୁ ‘ବେଞ୍ଚ-ଆଣ୍ଡ-ସୁଇଚ’ ସ୍କିମରେ ପଞ୍ଜିକରଣ କରାଯାଇଥିଲା। ଏହି କମ୍ପାନି ପାଇଁ ସେ ବିଦେଶରୁ ଲୋକଙ୍କୁ ଆଣିଥିଲେ। ଏହା ଆମେରିକାର ପ୍ରଚଳିତ ନିୟମ ଅନୁସାରେ ଏକ ଧର୍ତ୍ତବ୍ୟ ଅପରାଧ।

ତଦନ୍ତ କରିଥିବା ସୁରକ୍ଷା ସଂସ୍ଥାର ସୂତ୍ର ଅନୁଯାୟୀ ୨୦୧୫ରେ ଯାଞ୍ଚ ଆରମ୍ଭ ହୋଇଥିଲା। ସାମଲ ‘ଡାଇଭେନ୍ସି’ ଓ ‘ଆଜିମେଟ୍ରି’ ନାମକ ଦୁଇଟି କମ୍ପାନିର ମୁଖ୍ୟ କାର୍ଯ୍ୟବାହି ଅଧିକାରୀ ଥିଲେ। ସିଆଟଲର ବେଲଭିୟୁଠାରେ ସେ ଏହି କମ୍ପାନି ଖୋଲିଥିଲେ। ଅଭିଯୋଗ ପତ୍ର ଅନୁସାରେ ସାମଲ ତାଙ୍କ କର୍ମଚାରୀଙ୍କୁ ଆମେରିକା ସରକାରଙ୍କ ନିକଟରେ ଜାଲ ଦରଖାସ୍ତ ଓ କାଗଜପତ୍ର ଦାଖଲ କରିବା ପାଇଁ କହିଥିଲେ।

ଯେଉଁ ଆବେଦନ ଓ କାଗଜପତ୍ର ଦାଖଲ ହୋଇଥିଲା ସେଥିରୁ ଜଣାପଡ଼ୁଥିଲା ସତେ ଯେମିତି ଏହି ଦୁଇ କମ୍ପାନି ସହ ଆଗରୁ ବୁଝାମଣା ହୋଇସାରିଛି। ଆମେରିକାର ନାଗରିକ ଓ ଇମିଗ୍ରେସନ ଅଫିସ ଏହି କାଗଜପତ୍ରକୁ ବିଶ୍ୱାସକୁ ନେଇଥିଲା ଓ କାର୍ଯ୍ୟ ଭିସା ମଧ୍ୟ ଜାରି କରିଥିଲା।

ପାଖାପାଖି ୨୦୦ କର୍ମଚାରୀଙ୍କୁ ଏହି ଜାଲ କାଗଜପତ୍ର ଜରିଆରେ ଆମେରିକା ଅଣାଯାଇଥିଲା। ଖାଲି ସେତିକି ନୁହେଁ, କର୍ମଚାରୀମାନଙ୍କଠାରୁ ଆଂଶିକ ଫେରସ୍ତ ହେବ ବୋଲି କହି ୫ ହଜାର ଡଲାର ଜୋର ଜବରଦସ୍ତ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା।

ଭିସା ଦରଖାସ୍ତ ଫି ନାଁରେ ଏହି ଅର୍ଥ ସେମାନଙ୍କଠାରୁ ଆଦାୟ ହୋଇଥିବା ଅଭିଯୋଗ ହୋଇଛି। ଏହି କର୍ମଚାରୀମାନଙ୍କୁ କାମ ମିଳୁ ନଥିଲେ ହେଁ ସିକ୍ୟୁରିଟି ଜମା ପାଇଁ ବାଧ୍ୟ କରାଯାଇଥିଲା। ଆମେରିକାରେ ଭିସା ଜାଲିଆତି ପାଇଁ ଦଶ ବର୍ଷ ଜେଲଦଣ୍ଡ ଓ ଅଢେଇ ଲକ୍ଷ ଡଲାର ଜରିମାନା ହୋଇଥାଏ।

Comment