ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଶାଶ୍ୱତ ପଟ୍ଟନାୟକଙ୍କ ୬ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା। ଶାଶ୍ୱତ ପଟ୍ଟନାୟକ ଠୁଳ କରିଥିବା ସମ୍ପତ୍ତି ତାଙ୍କ ଦରମାଠାରୁ ୭୯ ପ୍ରତିଶତ ଅଧିକ ବୋଲି ଚଢ଼ଉ ବେଳେ ଜାଣିବାକୁ ପାଇଥିଲା ଭିଜିଲାନ୍ସ ବିଭାଗ।

ଶାଶ୍ୱତ ପଟ୍ଟନାୟକଙ୍କ ନୟାଗଡ଼ସ୍ଥିତ ଦେବୋତ୍ତର କଲୋନୀରେ ଥିବା ଭଡ଼ାଘର, ନୟାଗଡ଼ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବାରଙ୍ଗରେ ଥିବା ନିଜ ବାସଗୃହ ଏବଂ ତାଳଗାଁସ୍ଥିତ ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା।

ଶାଶ୍ୱତ ପଟ୍ଟନାୟକଙ୍କର କେନ୍ଦ୍ରାପଡ଼ା ସହରର ତଳବାରଙ୍ଗଠାରେ ୨,୩୫୦ ବର୍ଗଫୁଟର ଗୋଟିଏ ଘର, କେନ୍ଦ୍ରାପଡ଼ାର କୁଦନଗରୀ ଥାନା ଅନ୍ତର୍ଗତ ତାଳଗାଁରେ ୨,୧୦୦ ବର୍ଗଫୁଟର ଦୁଇ ମହଲା ବିଶିଷ୍ଟ କୋଠା, କଟକ, ଜଟଣୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ତାଙ୍କର ୬ଟି ପ୍ଲଟ, ଗୋଟିଏ କାର ଓ ୩ଟି ବାଇକ୍ ରହିଥିବା ଚଢ଼ଉ ବେଳେ ଜଣାପଡ଼ିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଏହି ଚଢ଼ଉରେ ସାମିଲ ହୋଇଥିଲେ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଭିଜିଲାନ୍ସର ୮ ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟର। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା। ବର୍ଷକ ପୂର୍ବରୁ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଭାବେ ଶାଶ୍ୱତ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେଇଥିଲେ।

Tags: #VigilanceRaid #Arrested #NayagarhSubRegistrarSaswatPatnaik #Odisha

Comment