ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡରେ ଯାଇଥିବା ରଂଜନ ନାୟକ ମାନସ ହତ୍ୟାକାଣ୍ଡ ବିଷୟରେ ସତ ଓଗାଳି ଥିବା କ୍ରାଇମବ୍ରାଞ୍ଚ କହିଛି।

ମାନସଙ୍କ ଅପହରଣଠାରୁ ହତ୍ୟା ଏବଂ ପ୍ରମାଣ ନଷ୍ଟ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ସତ ସତ କ୍ରାଇମବ୍ରାଞ୍ଚକୁ କହିଛି ଅଭିଯୁକ୍ତ ରଂଜନ। ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ମିଶି ଚାନ୍ଦବାଲିରୁ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରି ଭୁବନେଶ୍ଵରସ୍ଥିତ ଦୟାଲ ଆଶ୍ରମକୁ ଆଣିଥିଲେ। ଗିରଫ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏବଂ ତାଙ୍କ ସହଯୋଗୀମାନେ ମାନସଙ୍କୁ ଆଶ୍ରମରେ ପିଟି ପିଟି ହତ୍ୟା କରିଥିଲେ ବୋଲି କହିଛି ରଂଜନ।

ମାନସଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କାର୍‌ରେ ନୟାଗଡ଼ ଜିଲ୍ଲାକୁ ନିଆଯାଇଥିଲା। ରାଜସୁନାଖଳା ପାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ଏକ ପାହାଡ଼ ତଳେ ମାନସଙ୍କ ଶବକୁ ପୋତା ଯାଇଥିଲା। ମାନସଙ୍କ ଶବ ପୋତିବା ପରେ ସେହି ରାତିରେ ନୟାଗଡ଼ରୁ ଚଣ୍ଡିଖୋଲ ଯାଇ ସେଠାରେ ଶବ ନିଆଯାଇଥିବା ଅଖା, ତାଙ୍କ ଇଅରଫୋନ ଏବଂ ଚପଲକୁ ପୋଡ଼ି ଦିଆଯାଇଥିବା କ୍ରାଇମବ୍ରାଞ୍ଚକୁ ରଂଜନ କହିଥିଲା।

ରଂଜନର ବୟାନ ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ରଂଜନକୁ ସାଙ୍ଗରେ ଧରି ଗୁରୁବାର ଚଣ୍ଡିଖୋଲ ଯାଇଥିଲା। ଘଟଣାସ୍ଥଳରୁ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କର ଅଧାପୋଡ଼ା ଇଅରଫୋନ, ଚପଲ, ଅଖା, ଶାଢ଼ି, କୋଦାଳ ଓ ଗଇଁତି ଆଦି ଜବତ କରିଛି।

ଗତ ଫେବ୍ରୁଆରି ୮ ତାରିଖ ମାନସଙ୍କୁ ହତ୍ୟା କରାଯାଇ ନୟାଗଡ଼ରେ ପୋତା ଯାଇଥିଲା। ପୋଲିସ୍ ଗତ ମାର୍ଚ୍ଚ ୧୨ ତାରିଖରେ ଶବ ଉଦ୍ଧାର କରିଥିଲା। ଏହି ହତ୍ୟା ମାମଲାରେ ମାର୍ଚ୍ଚ ୧୦ ତାରିଖରେ ପୋଲିସ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ଵର ମଙ୍ଗଳା ସାହିର କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା। ଅଧିକ ଖୋଳତାଡ ପରେ ମାର୍ଚ୍ଚ ୨୧ ତାରିଖ ମାନସ ହତ୍ୟା ଘଟଣାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ଗିରଫ କରିଥିଲା।

ଦୀର୍ଘ ଦିନ ଧରି ପୁଲିସ୍‌କୁ ନାକେଦମ କରିବା ପରେ ଗତ ୨୮ ତାରିଖ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଭଦ୍ରକର ନଳାଙ୍ଗଠାରୁ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ ଗିରଫ କରିଥିଲା। ସେମାନଙ୍କୁ ଗିରଫ ପରେ ସନ୍ଧ୍ୟାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଥିଲେ।

ଶର୍ମିଷ୍ଠା, ନିରଞ୍ଜନ, ରଂଜନ ଏବଂ ଝୁନାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା। କୋର୍ଟଙ୍କ ଅନୁମତି ପରେ ଗତ ୨୯ ତାରିଖଠାରୁ ମାନସ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଖୋଳତାଳ ପରେ ଦିନକୁ ଦିନ ଏହି ହତ୍ୟାକାଣ୍ଡର ଗୁମର ଖୋଲିବାରେ ଲାଗିଛି।

Tags: #CameramanManasMurderCase #CrimeBranch #Police #Arrest #Remand #MurderCase

Comment