ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡଖଣ୍ଡ ମନିଲଣ୍ଡ୍ରିଂ ମାମଲାରେ ଆଇଏଏସ ଅଧିକାରୀ ପୂଜା ସିଂଘାଲଙ୍କୁ ଗିରଫ କରାଯାଇଛି। ଦୀର୍ଘ ଘଣ୍ଟା ଧରି ପଚରା ଉଚରା ପରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂଜା ସିଂଘାଲଙ୍କୁ ଗିରଫ କରିଛି। କିଛି ଦିନ ତଳେ ରାଞ୍ଚିରେ ଥିବା ପୂଜା ସିଂଘାଲଙ୍କ ସମ୍ପର୍କୀୟଙ୍କ ଘର ଏବଂ ଅନ୍ୟ ସ୍ଥାନଗୁଡ଼ିକ ଉପରେ ଅତର୍କୀତ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୧୯ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମିଳିଥିଲା।

କ’ଣ ଥିଲା ପୂରା ଘଟଣା?

ମିଳିଥିବା ସୂଚନା ଅନୁସାରେ ୨୦୦୯-୧୦ରେ ଝାରଖଣ୍ଡରେ ମନରେଗା ଦୁର୍ନୀତି ହୋଇଥିଲା। ଏହି ମାମଲାରେ କିଛି ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକା ସାଙ୍ଗରେ ଝାଡଖଣ୍ଡ, ପଶ୍ଚିମବଙ୍ଗ, ହରିଆଣା ଏବଂ ରାଜସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ୧୯ କୋଟି ୩୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ୧୯ କୋଟି ୩୧ ଲକ୍ଷ ଟଙ୍କା ମଧ୍ୟରୁ ୧୭ କୋଟି ଟଙ୍କା ପୂଜା ସିଂଘାଲଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ସୁମନ କୁମାରଙ୍କ ଘରୁ ଜବତ ହୋଇଥିଲା। ବାକି ଟଙ୍କା ଏକ କମ୍ପାନୀରୁ ମିଳିଥିଲା।

ସେହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂଜା ସିଂଘାଲଙ୍କ ବାସଭବନ ବ୍ୟତୀତ ତାଙ୍କ ସ୍ଵାମୀଙ୍କ ରାଞ୍ଚି ସ୍ଥିତ ଡାକ୍ତରଖାନାରେ ମଧ୍ୟ ଚଢ଼ଉ କରିଥିଲା। ସେଠାରୁ ଟଙ୍କା ଜବତ ହେବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିଲା। ଏହା ବ୍ୟତୀତ ଅନେକ ଫ୍ଲାଟରେ କରାଯାଇଥିବା ୧୫୦ କୋଟି ଟଙ୍କାର ନିବେଶର କାଗଜପତ୍ର ଇଡି ହାତରେ ଲାଗିଥିଲା। ସମସ୍ତ ପ୍ରମାଣକୁ ଆଧାର କରି ପୂଜା ସିଂଘାଲ, ତାଙ୍କ ସ୍ଵାମୀ ଏବଂ ସିଏ ସୁମିତ କୁମାରଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରାଯାଇଥିଲା। ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା କରିଥିଲା ଇଡି। ଅନେକ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇପାରିନଥିଲେ ପୂଜା ସିଂଘାଲ।

ପୂଜାଙ୍କ ପୂର୍ବରୁ ଗିରଫ ହୋଇଥିଲେ ସିଏ ସୁମନ

ପୂଜା ସିଂଘାଲଙ୍କ ପୂର୍ବରୁ ତାଙ୍କ ସିଏ ସୁମନ କୁମାରଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ସୁମନ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି ଇଡି। ଆସନ୍ତା ୧୨ ତାରିଖରେ ତାଙ୍କୁ ସ୍ଵତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଅରୁଣ ଦୁବେଙ୍କ ଦ୍ଵାରା ଝାଡଖଣ୍ଡ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ପୂଜା ସିଂଘାଲଙ୍କ ମାମଲାର ସିବିଆଇ ତଦନ୍ତ ପାଇଁ ଏହି ଆବେଦନରେ ଗୁହାରି କରିଛନ୍ତି ଅରୁଣ ଦୁବେ।

Tags: #Jharkhand #MoneyLaunderingCase #IAS #PujaSinghal #ED

Comment