ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୩୮ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ଣ ୫ଟା ଯାଏଁ ଏଠାରେ ମତଦାନ ଜାରି ରହିବ।
ଦ୍ଵିତୀୟ ପର୍ଯ୍ୟାରେ ଝାଡ଼ଖଣ୍ଡ ମୋଟ ୧ କୋଟି ୨୩ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୬୨ ଲକ୍ଷ ୮୦ ହଜାର ପୁରୁଷ ଭୋଟର ରହିଥିବାବେଳେ ପ୍ରାୟ ୬୧ ଲକ୍ଷ ମହିଳା ଭୋଟର ରହିଛନ୍ତି। ଏଥିପାଇଁ ୧୪,୨୧୮ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୨,୪୧୪ଟି ସହରାଞ୍ଚଳରେ ଓ ୧୧,୮୦୪ଟି ଗ୍ରାମାଞ୍ଚଳରେ ରହିଛି।
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୮ଟି ବିଧାନସଭା ଆସନରେ ମୋଟ ୫୨୮ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୫୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ନଭେମ୍ବର ୧୩ ତାରିଖରେ ଝାଡ଼ଖଣ୍ଡର ୪୩ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଥିଲା। ମୋଟ ୬୮୩ ଜଣ ପ୍ରାର୍ଥୀ ଏଥିରେ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ।
ଝାଡ଼ଖଣ୍ଡରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ୨୮ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟିରେ ଭୋଟ୍ ଗ୍ରହଣ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବାକି ୮ଟି ଆସନରେ ଭୋଟ୍ ଗ୍ରହଣ ହେଉଛି। ବିଜେପି ଏବଂ ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମଧ୍ୟରେ ଏହି ସବୁ ଆସନଗୁଡ଼ିକରେ ସିଧାସଳଖ ଲଢ଼େଇ ହେଉଥିବା ଦେଖିବାକୁ ମିଳୁଛି।
ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସାମିଲ ରହିଛନ୍ତି। ସେହିପରି ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ମଧ୍ୟ ମଇଦାନରେ ଅଛନ୍ତି।
ଅନ୍ୟପଟେ ବୁଧବାର ଭାରତର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ଏହାସହ ୪ଟି ରାଜ୍ୟର ୧୫ଟି ବିଧାନସଭା ଆସନ ସମେତ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି।
Tags: #JharkhandAssemblyElections2024 #Voting #Voters #ECI #Jharkhand #India