ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ ସହ ସମ୍ପର୍କ ନିବିଡ଼ କଲେ ଭାରତକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା କହିବା ସହ ରୁଷ ସହ ସମ୍ପର୍କକୁ ସୀମିତ କରିବା ପାଇଁ ପରାମର୍ଶ ଦେଇଛି। ଅନ୍ୟ ପକ୍ଷରେ ଆମେରିକା କହିଛି ଯଦି ଭାରତ ଅସ୍ତ୍ରଶସ୍ତ୍ର ପାଇଁ ରୁଷ ଉପରେ ନିର୍ଭର କରିବା ଛାଡ଼ିଦେବ ତେବେ ଆମେରିକା ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବ।

ରୁଷ ଉପରେ ଭାରତର ଆଭିମୁଖ୍ୟ ଦେଖି ଆମେରିକା ନିରାଶା ପ୍ରକାଶ କରିଛି। ରୁଷ-ଭାରତ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଚାପ ପକାଉଥିବା ଆମେରିକାର ଚେଷ୍ଟା ବିଫଳ ହେବା ପରେ ଏବେ ଭାରତକୁ ଚେତାବନୀ ଦେବା ଆରମ୍ଭ କରିଛି। ଆମେରିକା ଚେତାବନୀ ଦେଇଛି, ଯଦି ଭାରତ ରୁଷ ସହିତ ସମ୍ପର୍କ ନିବିଡ଼ କରିବ ତେବେ ତାକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ବ୍ରେନ ଡିଜ କହିଛନ୍ତି ଆମେରିକା ପ୍ରଶାସନ ରୁଷ ସହିତ ଭାରତର ସମ୍ପର୍କକୁ ନେଇ ଚେତାବନୀ ଦେଇଛି। ସେ କହିଛନ୍ତି ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତର ପ୍ରତିକ୍ରିୟାରେ ଆମେରିକା ନିରାଶ ହୋଇଛି। କେବଳ ଭାରତ ନୁହେଁ ରୁଷ-ୟୁକ୍ରେନ ଯୁଦ୍ଧରେ ଚୀନର ଆଭିମୁଖ୍ୟକୁ ନେଇ ମଧ୍ୟ ଆମେରିକା କ୍ଷୁବ୍ଧ ହୋଇଥିବା ସେ କହିଛନ୍ତି।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଆମେରିକା, ୟୁରୋପୀୟ ଦେଶ, ଅଷ୍ଟ୍ରେଲିଆ ଏବଂ ଜାପାନ ଆଦି ଦେଶ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ରୁଷର ଆକ୍ରମଣକୁ ନେଇ ଭାରତ କୌଣସି ଆଲୋଚନା ମଧ୍ୟ କରିନାହିଁ। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତବ ଭୋଟରେ ମଧ୍ୟ ଭାରତ ଅଂଶ ଗ୍ରହଣ କଲା ନାହିଁ।

କିନ୍ତୁ ଭାରତ ଲଗାତର କହିଚାଲିଛି ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ରୋକା ଯିବା ଆବଶ୍ୟକ। ରୁଷକୁ ଅନ୍ୟ ଦେଶଗୁଡ଼ିକ ବିରୋଧ କରୁଥିବାବେଳେ ଭାରତ ରୁଷ ସହ ସୁସମ୍ପର୍କ ରଖିଛି। ଏପରିକି ପୂର୍ବ ଭଳି ରୁଷରୁ ତୈଳ ଆମଦାନୀ ମଧ୍ୟ ଜାରି ରଖିଛି ଭାରତ।

ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ଭାରତ ସହିତ ଆମେରିକାର ସମ୍ପର୍କ ଭଲ ରହିଛି। ଦୁଇ ଦେଶ ମଧ୍ୟରେ ସାମରିକ ଏବଂ ରଣନୈତିକ ସମ୍ପର୍କ ନିବିଡ଼ ରହିଛି। ଚୀନ ଯେବେ ଯେବେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା। ତେଣୁ ଭାରତ ଏହି ସୁସମ୍ପର୍କକୁ ଆଗକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବ୍ରେନ ଡିଜ।

Tags: #AmericaWarns #IndiaRussiaRelation #AmericaIndiaRelation #RussiaUkraineWar

Comment