ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ମାସାଚ୍ୟୁଟସଠାରେ ବଡ଼ଠାକୁରଙ୍କର ରଥଯାତ୍ରା, ବାହୁଡ଼ା ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନିୟୁ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିୟୁ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିୟୁ ଇଂଲଣ୍ଡ ଶିରିଡ଼ି ସାଇ ମନ୍ଦିରରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ମନ୍ଦିରର ମୁଖ୍ୟ ପୂଜାରୀ ପବନ ଆଚାର୍ଯ୍ୟ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ପୂର୍ବକ ସମସ୍ତ ବିଧି ସମ୍ପନ୍ନ କରିଥିଲେ।

ବୋଷ୍ଟନ, ମାସାଚ୍ୟୁଟସ ତଥା ନିକଟବର୍ତ୍ତୀ ରାଜ୍ୟ ଯଥା ରୋଡସ ଆଇଲ୍ୟାଣ୍ଡ, କନେକ୍ଟିକଟ, ନିୟୁ ହାମ୍ପସାୟାର ଏବଂ ମେନଠାରେ ବସବାସ କରୁଥିବା ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ଉତ୍ସବରେ ଯୋଗ ଦେଇଥିଲେ। ଅପରାହ୍ଣରେ ଦିଅଁମାନଙ୍କୁ ପହଣ୍ଡି କରାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥ ଉପରକୁ ନିଆଯାଇଥିଲା। ମନ୍ଦିରର ଟ୍ରଷ୍ଟି ନିରଞ୍ଜନ ସେନାପତିଙ୍କ ତତ୍ତ୍ଵାବଧାନରେ ଆମେରିକୀୟ ବଢ଼େଇ ଏହି ରଥଟିକୁ ନିର୍ମାଣ କରିଥିବା ଜଣାଯାଇଛି।

ଉପସ୍ଥିତ ଭକ୍ତମାନେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନି ଏବଂ ଶଙ୍ଖ, ଘଣ୍ଟ, ଘଣ୍ଟା, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ରଥଟିକୁ ମନ୍ଦିର ବେଢ଼ାର ଚାରିପଟେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ସାଇ ମନ୍ଦିର ପରିସରକୁ ଫେରାଇ ଅଣାଯାଇଥିଲା। ମାସାଚ୍ୟୁଟସର ରାଜରାସ୍ତାରେ ରଥାରୂଢ଼ ଜଗତର ନାଥ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ଭକ୍ତଗଣ। ମନ୍ଦିର ପାର୍ଶ୍ଵକୁ ଫେରିବା ପରେ ଠାକୁରମାନଙ୍କୁ ରୋଷଣୀ କରାଯାଇ ମନ୍ଦିର ଭିତର ରତ୍ନସିଂହାସନରେ ବିରାଜମାନ କରାଯାଇଥିଲା। ସନ୍ଧ୍ୟାରେ ଠାକୁରମାନଙ୍କର ସୁନାବେଶ ନୀତି କରାଯାଇଥିଲା।

ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ ସମୟରେ ଶ୍ୟାମା ଗୁନ୍ଦଳା, ସୁନୀତା ଗୁନ୍ଦଳା, ସୁଧା ମିଶ୍ର, ଦିଲ୍ଲୀପ ପ୍ରଧାନ ଏବଂ ରାଗେଶ୍ୱରୀ ପ୍ରଧାନଙ୍କ ଦ୍ଵାରା ପ୍ରସ୍ତୁତ ଭଜନ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଜୟଶ୍ରୀ କର ଏବଂ ମୌଲି ପାଲଙ୍କର ଶିଶ୍ୟାମାନଙ୍କଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଶ୍ୟାମଳା ବାଙ୍ଗାଲୋର, ଅନୁଶା ମୁକୁନ୍ଦ, ଶ୍ରୁତି ନଞ୍ଜାଗୁଡ଼, ମୀରା ପାଟିଲ, ଜୟନ୍ତୀ ଘଟରାଜୁ, ନିଥିଲା କୃଷ୍ଣକୁମାର, ରୁତା ସିନ୍ଧେ ଏବଂ ଶ୍ରୁତିଲକ୍ଷ୍ମୀ ନାରାୟଣ ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ଏବଂ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ ଅଧିବେଶନକୁ ବିଶ୍ଵ ଭୂଷଣ ସାହୁ ଏବଂ ରଶ୍ମି ରଞ୍ଜନ ରଥ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ପୁରୀର ଆନନ୍ଦବଜାର ଢଙ୍ଗରେ ଏଠାରେ ପ୍ରସ୍ତୁତ କରାଯାଇଥିଲା ଛପନ ଭୋଗ। ସୁଜାତା ଧଳଙ୍କ ମାର୍ଗଦର୍ଶନରେ  ମନ୍ଦିରର ପାକଶାଳାରେ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇଥିଲା। ମହାପ୍ରସାଦକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା।

କାର୍ଯ୍ୟକ୍ରମକୁ ମହେନ୍ଦ୍ର ସିଂହ, ନୀଳକଣ୍ଠ ମିଶ୍ର, ସନ୍ଦୀପ କୌସିକ୍, ସୂର୍ଯ୍ୟ କୋଡୁକୁଲା, ଚେନ୍ନା କେଶବ, ନିରଞ୍ଜନ ସେନାପତି, ପ୍ରଦୀପ ଧଳ, ବିଶ୍ଵ ଭୂଷଣ ସାହୁ, ଅରୁଣ ମହାନ୍ତି, ଜୟଶ୍ରୀ ପଟେଲ, କୁମାର ପଟୁଲା, ରାଜେଶ ସିଂହ, ନିଶିକାନ୍ତ ଭଦ୍ର, ଦିଲ୍ଲୀପ ବେହେରା, ସୁଜାତା ଧଳ, ନିଶିକାନ୍ତ ସାହୁ, ବିଜୟ ବଳ, ଅମଲ ଦତ୍ତ  ଏବଂ ନଗେନ୍ଦ୍ର ନାଟ୍ଟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #Massachusetts #America #NiladriBije #RathYatra #Culture #Festival

Comment