ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ନୂଆ ଡିଭାଇସ, ଖାଦ୍ୟ ନ ଖାଇ ଜାଣିପାରିବେ ଏବେ ଖାଦ୍ୟର ସ୍ୱାଦ।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ବାସ୍ତବତାରେ ପରିଣତ ହେବାକୁ ଯାଉଛି। କାରଣ ବୈଜ୍ଞାନିକମାନେ ଏନେଇ ବିକଶିତ କରିଛନ୍ତି ‘ଇ-ଟଙ୍ଗ୍’, ଯାହାଦ୍ଵାରା ଭର୍ଚୁଆଲ୍ ରିଆଲିଟି (ଭିଆର) ରେ ମଧ୍ୟ ଖାଦ୍ୟର ସ୍ୱାଦ ଜାଣି ହେବ।
ୟିଝେନ ଜିଆଙ୍କ ନେତୃତ୍ୱରେ ଆମେରିକାର ଓହିଓ ଷ୍ଟେଟ୍ ୟୁନିଭରସିଟିର ଗବେଷକମାନେ ‘ଇ-ଟଙ୍ଗ୍’ର ବିକଶିତ କରିଛନ୍ତି। ଏହା ବିଭିନ୍ନ ଖାଦ୍ୟ ନମୁନାର ଆଣବିକ ଗଠନ ବିଶ୍ଳେଷଣ କରିବା ସହ ମନୁଷ୍ୟ ପାଟିରେ କୃତ୍ରିମ ଭାବରେ ଖାଦ୍ୟର ସ୍ୱାଦକୁ ପୁନଃ ସୃଷ୍ଟି କରିପାରିବ।
କିପରି କାମ କରିବ ‘ଇ-ଟଙ୍ଗ୍’?
ଏହି ‘ଇ-ଟଙ୍ଗ୍’ ପାଞ୍ଚଟି ପ୍ରମୁଖ ସ୍ୱାଦ – ମିଠା, ଖଟା, ଲୁଣିଆ, ତିକ୍ତତା ଏବଂ ଉମାମିକୁ ବାରି ସେଗୁଡ଼ିକୁ ଡିଜିଟାଲ୍ ତଥ୍ୟରେ ରୂପାନ୍ତରିତ କରିଥାଏ। ଏଥିପାଇଁ, ଏହା ପାଞ୍ଚଟି ପ୍ରମୁଖ ରାସାୟନିକ ପଦାର୍ଥ ବ୍ୟବହାର କରେ।
ସୋଡିୟମ୍ କ୍ଲୋରାଇଡ୍ – ଲୁଣିଆ ସ୍ୱାଦ ପାଇଁ
ସାଇଟ୍ରିକ୍ ଏସିଡ୍ – ଖଟା ସ୍ୱାଦ ପାଇଁ
ଗ୍ଲୁକୋଜ୍ – ମିଠା ସ୍ୱାଦ ପାଇଁ
ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ – ତିକ୍ତତା ସ୍ୱାଦ ପାଇଁ
ଗ୍ଲୁଟାମେଟ୍ – ଉମାମି ସ୍ୱାଦ ପାଇଁ (ଯେପରିକି ସୋୟା ସସ୍)
ଏହି ‘ଇ-ଟଙ୍ଗ୍’ ସିଷ୍ଟମରେ ଥିବା ସେନ୍ସରଗୁଡ଼ିକ ଖାଦ୍ୟରେ ଥିବା ରାସାୟନିକ ପଦାର୍ଥର ପରିମାଣକୁ ଚିହ୍ନଟ କରି ସେଗୁଡ଼ିକୁ ଡିଜିଟାଲ୍ ସିଗନାଲରେ ରୂପାନ୍ତରିତ କରିଥାଏ। ଏହା ପରେ ଏକ ପମ୍ପ ସାହାଯ୍ୟରେ, ସଠିକ ପରିମାଣର ହାଇଡ୍ରୋଜେଲ ବ୍ୟକ୍ତିଙ୍କ ଜିଭ ତଳେ ଥିବା ଛୋଟନଳୀକୁ ପଠାଯାଏ। ଫଳରେ ବ୍ୟକ୍ତିଜଣଙ୍କ ଖାଦ୍ୟର ସ୍ଵାଦକୁ ଜାଣିପାରିବେ।
ଗବେକ୍ଷଣାରୁ କ’ଣ ଜଣାପଡ଼ିଛି?
ଏହି ‘ଇ-ଟଙ୍ଗ୍’ର ସଠିକତା ଯାଞ୍ଚ କରିବା ପାଇଁ, ଗବେକ୍ଷକମାନେ ଏହାକୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷଣ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ, ୧୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କେବଳ ଖଟା ସ୍ୱାଦର ଅନୁକରଣ କରାଯାଇଥିଲା। ଯେଉଁଥିରେ ୭୦ ପ୍ରତିଶତ କ୍ଷେତ୍ରରେ ଅଂଶଗ୍ରହଣକାରୀମାନେ କୃତ୍ରିମ ଭାବରେ ସୃଷ୍ଟି ହୋଇଥିବା ସ୍ୱାଦକୁ ପ୍ରକୃତ ସ୍ୱାଦ ସହ ସମାନ ବୋଲି ବିବେଚନା କରିଥିଲେ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଲେମ୍ବୁ ପାଣି, କେକ୍, ଭଜା ଅଣ୍ଡା, ମାଛ ସୁପ୍ ଏବଂ କଫି ଭଳି ଜଟିଳ ସ୍ୱାଦର ଅନୁକରଣ କରିବାକୁ ଚେଷ୍ଟା କରାଯାଇଥିଲା। ୬ ଜଣିଆ ଅଂଶଗ୍ରହଣକାରୀଙ୍କ ଗୋଷ୍ଠୀ ଏହି ପର୍ଯ୍ୟାୟରେ ମଧ୍ୟ ୮୦ ପ୍ରତିଶତ କ୍ଷେତ୍ରରେ ସଠିକ୍ ସ୍ୱାଦ ଚିହ୍ନଟ କରିଥିଲେ।
‘ଇ-ଟଙ୍ଗ୍’ କ’ଣ ଖାଦ୍ୟର ପ୍ରକୃତ ସ୍ୱାଦ ପୁନଃ ସୃଷ୍ଟି କରିପାରିବ ?
ବିଶେଷଜ୍ଞଙ୍କ ମତରେ ଖାଦ୍ୟର ଫ୍ଲେବର କେବଳ ଆମେ ଜିଭରେ ଅନୁଭବ କରୁଥିବା ସ୍ୱାଦ ମଧ୍ୟରେ ସୀମିତ ନୁହେଁ।
ୱାରୱିକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲାନ୍ ଚାଲମର୍ସ ଏନେଇ କହିଛନ୍ତି, “ଯଦି ଆପଣ ଆଖି ଏବଂ ନାକ ବନ୍ଦ କରି ଷ୍ଟ୍ରବେରି ଖାଇବେ, ତେବେ ଏହା ଆପଣଙ୍କୁ ଖଟା ଲାଗିବ। କିନ୍ତୁ, ଏହାର ସୁଗନ୍ଧ ଏବଂ ଲାଲ ରଙ୍ଗ ଯୋଗୁଁ ସାଧାରଣତଃ ଏହାକୁ ମିଠା ବୋଲି କହିଥାଉ।”
ପ୍ରଫେସର ଚାଲମର୍ସଙ୍କ ମତରେ ‘ଇ-ଟଙ୍ଗ୍’ ସ୍ୱାଦର ତୀବ୍ରତା ମାପିପାରେ, କିନ୍ତୁ ଏହା ଖାଇବାର ବାସ୍ତବ ଅନୁଭବକୁ ସମ୍ପୂର୍ଣ୍ଣ ଭାବରେ ଅନୁକରଣ କରିପାରିବ ନାହିଁ। କାରଣ ଖାଦ୍ୟର ବାସ୍ନା ଏବଂ ରଙ୍ଗ ମଧ୍ୟ ଆମେ ଅନୁଭବ କରୁଥିବା ସ୍ଵାଦକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ।
ଏକ ତଥ୍ୟ ଅନୁସାରେ, କେକ୍ ଏବଂ ମାଛ ସୁପ୍ ଭଳି ସ୍ୱାଦର ଅନୁକରଣ କରିପାରୁଥିବା ଏହି ‘ଇ-ଟଙ୍ଗ୍ ଭର୍ଚୁଆଲ୍ ରିଆଲିଟିରେ ଖାଦ୍ୟକୁ ପୁନଃ ସୃଷ୍ଟି କରିବାରେ ସାହାଯ୍ୟ କରିପାରେ। କିନ୍ତୁ, ଏହା ସ୍ୱାଦକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ଜିନିଷ ଯେପରିକି ବାସ୍ନାକୁ ପ୍ରତିକୃତି କରିପାରିବ ନାହିଁ।
Tags: #ETongue #VirtualReality #TasteInVR #America #OhioUniversity #ScienceAndTechnology