ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର
  • ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତି
  • ବାଇଡେନଙ୍କ ନିଷ୍ପତ୍ତିକୁ ସମାଲୋଚନା

ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ସେଠାରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଦାୟୀ କରିଛନ୍ତି। କାରଣ ଆମେରିକା ଯଦି ଏ ଲଢ଼େଇରେ ପଛଘୁଞ୍ଚା ଦେଇନଥାନ୍ତା ତାହେଲେ ହୁଏତ ଆଜି ସ୍ଥିତି ଉୁପୁଜି ନଥାନ୍ତା। କାରଣ ୨୦ ବର୍ଷ ପୂର୍ବରୁ ଆଫଗାନର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇ ଆମେରିକା ନିଜ ସେନା ସେଠାରେ ରଖିଥିଲା। ହେଲେ କାହିଁକି ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସେନା ଫେରାଇ ନେବାକୁ ନିଷ୍ପତ୍ତି ନେଲେ ବୋଲି ଏବେ ପ୍ରଶ୍ନ ଉଠିଛି।

ଆମେରିକା ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନେଇ ଦୁଇ ଦଶନ୍ଧିରୁ ଆଫଗାନିସ୍ତାନର ସୁରକ୍ଷା ପାଇଁ ଆମେରିକା ସେନା ସେଠାରେ ମୁତୟନ ଥିଲେ। ଏଥିପାଇଁ ଆଫଗାନରେ ଆମେରିକାକୁ ଦେଢ଼ଶହ ଲକ୍ଷ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି। ଆଫାଗାନିସ୍ତାନ ସେନାକୁ ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ମାରଣାତ୍ସ ବାବଦକୁ ଏହି ଟଙ୍କା ଖର୍ଚ୍ଚ କରିଛି ଆମେରିକା। ପ୍ରାୟ ୨୩୦୦ ଶହରୁ ଅଧିକ ଯବାନଙ୍କୁ ମଧ୍ୟ ହରାଇଛି। ଏହାସତ୍ତ୍ୱେ ଆଫଗାନରେ ତାଲିବାନ ଉପରେ ଲଗାମ ଲଗାଇବାରେ ଆମେରିକା ବିଫଳ ହୋଇଛି। ଧୀରେ ଧୀରେ ତାଲିବାନ ସକ୍ରିୟ ହେଉଥିବା ଦେଖି ଆମେରିକା ନିଜର ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। କୂଟନୀତିଜ୍ଞଙ୍କ ମତରେ ଆମେରିକା ଆଫଗାନ ପାଇଁ ଆଉ ଟଙ୍କା ଖର୍ଚ୍ଚ ନକରି ନିଜର ଫାଇଦା ଦେଖି ସେନା ପ୍ରତ୍ୟାହାରି କରିନେଇଛି।

୨୦୦୧ରୁ ଆଫଗାନରେ ମୁତୟନ ଥିଲେ ଆମେରିକୀୟ ସେନା

୨୦୦୧ ମସିହାରେ, ସେପ୍ଟେମ୍ବର ୧୧ରେ ଆମେରିକାର ଓ୍ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ। ଏହି ଆକ୍ରମଣର ଯୋଜନା ଆଫଗାନରୁ ହିଁ ହୋଇଥିଲା। ଆଫଗାନରେ ଆତଙ୍କବାଦ ଦମନ ପାଇଁ ଆମେରିକା ନିଜ ସେନା ମୁତୟନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୧୩୦୦ ଆଫଗାନରେ ପହଞ୍ଚିଥିଲେ। ଧୀରେ ଧୀରେ ସେଠାରେ ଆମେରିକା ସେନା ସଂଖ୍ୟା ବଢ଼ାଇଥିଲା।

ବାଇଡେନଙ୍କ ନିଷ୍ପତ୍ତିକୁ ସମାଲୋଚନା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାର ନିଜ ସେନା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ତାଲିବାନିମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ଖୁବ୍‌ କମ ସମୟ ଭିତରେ ସେମାନେ ଦେଶକୁ ଅକ୍ତିଆର କରିନେଲେ। ଆଫଗାନର ଏହି ସ୍ଥିତିକୁ ଦେଖି ଅନ୍ତରାଷ୍ଟ୍ରୀୟ ସମୁଦାୟ ଚକିତ ହୋଇପଡ଼ିଛନ୍ତି। ଏବେ ଆଫଗାନରେ ଆତଙ୍କବାଦ ବଢ଼ିବା ସହିତ ଏହାର ପରିଣାମ ସାରାବିଶ୍ୱକୁ ଭୋଗିବାକୁ ପଡ଼ିବ ବୋଲି କୂଟନୀତିଜ୍ଞମାନେ ମତ ଦେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପାଇଁ ତାଙ୍କୁ ସବୁଠି ସମାଲୋଚନା କରାଯାଉଛି।

ବାଇଡେନଙ୍କ ସଫେଇ

ଆଫଗାନରୁ ସେନା ପ୍ରତ୍ୟାହାର କରିନେବା ନିଷ୍ପତ୍ତି ପରେ ବାଇଡେନଙ୍କୁ ସବୁ ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ଏହି ପ୍ରସଙ୍ଗରେ ବାଇଡେନ ମୁହଁ ଖୋଲିଛନ୍ତି। ସେନା ପ୍ରତ୍ୟାହାର କରିନେବା ନିଷ୍ପତ୍ତି ଠିକ ଥିଲା ବୋଲି ସେ କହିଛନ୍ତି।

‘‘୨୦ ବର୍ଷ ହେଲା ଆମେରିକା ଆତଙ୍କବାଦ ବିରୋଧରେ ଯେଉଁ ଅଭିଯାନ ଚଳାଇଥିଲା ସେଥିରେ ଆମେ ସଫଳ ହୋଇଛୁ। ଅଲକାଏଦା ମୁଖିଆ ଓସମା ବିନ ଲାଡେନକୁ ନିପାତ କରିଛୁ। ଆମେ ସେନା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ନଥିଲା ବରଂ ଆତଙ୍କବାଦ ବିରୋଧରେ ଲଢ଼ୁଥିଲା। ଏବେ ଆଫଗାନରେ ଯେଉଁ ସ୍ଥିତି ଦେଖାଯାଇଛି ସେଥିପାଇଁ ଆଫଗାନର ରାଷ୍ଟ୍ରପତି ଅସରଫ୍‌ ଘନି ହିଁ ଦାୟୀ’’, କହିଛନ୍ତି ବାଇଡେନ।

ଆଗରୁ ସେନା ପ୍ରତ୍ୟାହାର କରିବାକୁ ଉଦ୍ୟମ କରିଥିଲା ଆମେରିକା

୨୦୧୧ରେ କୁଖ୍ୟାତ ଆତଙ୍କବାଦୀ ଲାଡେନକୁ ନିପାତ କରିବା ପରେ ତତକାଳୀନ ରାଷ୍ଟ୍ରପତି ବାରାକ ଓବାମା ଆଫଗାନରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସେନା ପ୍ରତ୍ୟାହାର ଦ୍ୱାରା ପରିଣାମ ବିପଜ୍ଜନକ ହୋଇପାରେ ବୋଲି ଅନୁଭବ କରି ପୁଣି ନିଜ ନିଷ୍ପତ୍ତି ବଦଳାଇଥିଲେ।

Comment