ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ରୁଷ ସୈନିକଙ୍କ ଗତିବିଧି ଯେଉଁଭଳି ଭାବେ ବୃଦ୍ଧି ପାଉଛି, ଏହାକୁ ଦେଖି ଯୁଦ୍ଧ ନିକଟତର ହେଉଥିବାର ଆଭାସ ମିଳୁଛି। ୟୁକ୍ରେନ ସୀମା ନିକଟରେ ରୁଷ ସେନା ଅଧିକ ଚଳଚଞ୍ଚଳ ହୋଇଉଠିଥିବା ସାଟେଲାଇଟ ଦ୍ଵାରା ଉତ୍ତୋଳନ କରାଯାଇଥିବା ଏକ ଫଟୋରୁ ଜଣାପଡ଼ିଛି। ବଡ଼ ବଡ଼ ଯୁଦ୍ଧାସ୍ତ୍ର, ଟ୍ୟାଙ୍କର ଏବଂ ତୋପ ସହ ସୈନିକମାନେ ଆଗକୁ ବଢ଼ିବାକୁ ଲାଗିଛନ୍ତି।

ଅନ୍ୟ ପକ୍ଷରେ ମିଳିତ ଜାତିସଂଘରେ ଆମେରିକା ଚେତାବନୀ ଦେଇଛି ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷ। ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲେ ସେଠାରେ ମାନବାଧିକାରର ଉଲ୍ଲଂଘନ ହେବ। ୟୁକ୍ରେନର ବହୁ ସଂଖ୍ୟକ ସମାଲୋଚକ, ବିଦ୍ରୋହୀ ଏବଂ ଅନ୍ୟ ଗୋଷ୍ଠୀକୁ ଟାର୍ଗେଟ କରିବାକୁ ରୁଷ ଯୋଜନା କରିଛି। ଏହାର ସ୍ପଷ୍ଟ ପ୍ରମାଣ ରହିଛି ବୋଲି ଆମେରିକା ଦାବି କରିଛି। ଏହି ଲୋକମାନଙ୍କୁ ଶିବିରକୁ ମଧ୍ୟ ପଠାଯିବାର ସମ୍ଭାବନା ରହିଥିବା କୁହାଯାଇଛି।

ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ବାଥଶେବା ନେଲ କ୍ରୋକର ଜାତିସଂଘର ମାନବାଧିକାର କମିଶନରଙ୍କୁ ଚିଠି ଲେଖି ଏହି ଆଶଙ୍କା ପ୍ରକାଶ କରିଛନ୍ତି। “ଆମ ପାଖରେ ବିଶ୍ୱସ୍ତ ସୂତ୍ରରୁ ପ୍ରମାଣ ରହିଛି ଯେ ରୁଷ ସୈନିକମାନେ ୟୁକ୍ରେନ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି। ଆକ୍ରମଣରେ ସେମାନଙ୍କୁ ହତ୍ୟା କରାଯାଇପାରେ କିମ୍ବା କ୍ୟାମ୍ପକୁ ପଠାଯାଇପାରେ”, ଆମେରିକା କହିଛି। ଆମେରିକାର ଏହି ଅଭିଯୋଗକୁ ଖଣ୍ଡନ କରିଛି ରୁଷ।

ପୁଟିନଙ୍କ ସହ ବୈଠକ କରିପାରନ୍ତି ବାଇଡେନ 

ଏହି ସମୟରେ ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ ନକରେ ତେବେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ନୀତିଗତ ବୈଠକ କରିବାକୁ ପ୍ରସ୍ତୁତ ଅଛନ୍ତି। ଆମେରିକା କ୍ରମାଗତ ଭାବେ ଚେତାବନୀ ଦେଇଆସିଛି ଯେ ରୁଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ।

ଏପରି କଲେ ରୁଷ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆମେରିକା ଚେତାବନୀ ମଧ୍ୟ ଦେଇଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ନେଇ ଆମେରିକା କରୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି ରୁଷ। ହ୍ଵାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଆକ୍ରମଣ ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ପାଇଁ ରାଷ୍ଟ୍ରପତିଙ୍କର ଚେଷ୍ଟା ରହିବ।

ପ୍ରେସ ସଚିବ ଜେନ ସାକି ଆହୁରି ମଧ୍ୟ କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଆସନ୍ତା ଗୁରୁବାର ୟୁରୋପରେ ସାକ୍ଷାତ କରିବେ। ଏବେ ୟୁକ୍ରେନ ସୀମାରେ ରୁଷ ୧,୫୦,୦୦୦ ସୈନ୍ୟ ମୁତୟନ କରିଛି। ଗତ ଜାନୁଆରୀ ୩୦ ତାରିଖ ସୁଦ୍ଧା ଏଠାରେ ଏକ ଲକ୍ଷ ସୈନ୍ୟ ମୁତୟନ ଥିଲେ।

Comment