ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଏହି ଘଟଣାରେ ଶେଷରେ ଗିରଫ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ପାଇଁ ଦାବି ହେଉଥିଲା। ଭୁବନେଶ୍ଵର ଡିସିପିଙ୍କ ନିକଟରେ ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଓଏଏସ୍ ସଂଘ ପକ୍ଷରୁ ଜାରି ରହିଥିବା ଧର୍ମଘଟ ପ୍ରତ୍ୟାହାର ହୋଇଛି। ପୂର୍ବରୁ ଏହି ଘଟଣାରେ ସଂଜୀବ ମିଶ୍ର, ସଚ୍ଚିକାନ୍ତ ସ୍ଵାଇଁ , କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।
ଗତ ଜୁନ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ୫ରୁ ୭ ଜଣ ଦୁର୍ବୃତ୍ତ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
ଘଟଣାକୁ ନେଇ ଅତିରିକ୍ତ କମିଶନର ରତ୍ନାକର ସାହୁ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଥିଲେ।
ଏହି ଘଟଣାକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଘଟଣାକୁ ନେଇ ସୋମବାର ରାତିରେ ଅନେକ ବିଜେଡି ନେତା ଓ କର୍ମୀ ବିଏମସି ଅଫିସ ଆଗରେ ଧାରଣା ଦେଇଥିଲେ।
Tags: #BMCADC #Attack #JagannathPradhan #BJP #Protest #Bhubaneswar #Odisha