ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଘଟଣାକୁ ବିରୋଧୀ ଦଳ ତୀବ୍ର ନିନ୍ଦା କରିଥିବା ବେଳେ ଏ ପଟେ ଓଏଏସ୍ ସଂଘ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହାରି ମଧ୍ୟରେ ଆଜି ବିଜେପିରୁ ୫ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ୫ ଜଣଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ଵାଇଁ ଓ ସଂଜୀବ ମିଶ୍ରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଦଳରୁ ସସ୍‌ପେଣ୍ଡ କରାଯାଇଛି।

ଏହା ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨୯ ନମ୍ବର ଓ୍ଵାର୍ଡ କର୍ପୋରେଟର ଜୀବନ ରାଉତରାୟ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଓଏଏସ୍ ସଂଘ ନିଜର ସାମୂହିକ ଛୁଟିରେ ରହିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା ବେଳେ ବିଏମସିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।

ସୋମବାର ଦିନ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ୫ରୁ ୭ ଜଣ ଦୁର୍ବୃତ୍ତ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଘଟଣାକୁ ଅତିରିକ୍ତ କମିଶନର ରତ୍ନାକର ସାହୁ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଥିଲେ।

ଏହି ଘଟଣାକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଘଟଣାକୁ ନେଇ ସୋମବାର ରାତିରେ ଅନେକ ବିଜେଡି ନେତା ଓ କର୍ମୀ ବିଏମସି ଅଫିସ ଆଗରେ ଧାରଣା ଦେଇଥିଲେ।

ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣକୁ ଦୁର୍ଭାଗ୍ୟଜନକ କଥା ବୋଲି କହିଛନ୍ତି, ଭୁବନେଶ୍ଵର ମେୟର ସୁଲୋଚନା ଦାସ। ସେ କହିଛନ୍ତି ‘‘ବିଏମସି କାର୍ଯ୍ୟାଳୟରେ ପଶି ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ ରାଜଧାନୀର ଭୁଶୁଡ଼ି ଯାଇଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦର୍ଶାଉଛି। ଯେଉଁଭଳି ଭାବେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କରାଗଲା ଏହା ଦୁର୍ଭାଗ୍ୟଜନକ। ରାଜଧାନୀରେ ସାଧାରଣ ଲୋକ କେତେ ସୁରକ୍ଷିତ ଏଥିରୁ ଅନୁମାନ କରିହେଉଛି।”

ଅନ୍ୟପଟେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଆକ୍ରମଣ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ ବୋଲି କହିଛନ୍ତି। ସମ୍ପୃକ୍ତ ଦୃର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Tags: #BMCADC #Attack #BJP #Protest #Bhubaneswar #Odisha

Comment