ଓଡ଼ିଶାଲାଇଭ୍ ବ୍ୟୁରୋ

ହିଂସାର ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଭୀଷଣ ରୂପ ନେବାକୁ ଲାଗିଛି। ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଆମେରିକା।

ଗୋଟିଏ ପଟେ ଆମେରିକାର ଟାର୍ଗେଟରେ ଇରାନ ରହିଥିବା ବେଳେ ସହଯୋଗର ହାତ ବଢ଼ାଇଛି ରୁଷ। ଏହାକୁ ନେଇ ଏବେ ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି।

ଇସ୍ରାଏଲକୁ ଅକୁଣ୍ଠିତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନର ୩ଟି ପରମାଣୁ ଘାଟିକୁ ଧ୍ଵଂସ କରିଦେଇଛି ଆମେରିକା। ଏହି ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି, “ଆକ୍ରମଣ କରିବାକୁ ଚାହୁଁ ନଥିଲୁ, କିନ୍ତୁ କଥା ନମାନିବାରୁ ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲୁ।”

ଏପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସଂଘର୍ଷକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇରାନର ପରମାଣୁ ଘାଟି ଆକ୍ରମଣ ପରେ ଇରାନର ରାଷ୍ଟ୍ରପତି ମସୁଦ ପେଜେସକୀୟାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ନରେନ୍ଦ୍ର ମୋଦୀ। ଏ ସମ୍ପର୍କରେ ଖୋଦ ପ୍ରଧାନମନ୍ତ୍ରୀ ସୋସିଆଲ ମେଡିଆ ପେଜରେ ସୂଚନା ଦେଇଛନ୍ତି। କୂଟନୀତି ଏବଂ ଆଲୋଚନା ମାଧ୍ୟରେ ସଂଘର୍ଷ ହ୍ରାସ କରିବାକୁ ଅପିଲ କରିଛନ୍ତି ମୋଦୀ।

ଇରାନର ପରମାଣୁ ଘାଟି ଉପରେ ଆମେରିକାର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଅନ୍ୟ ପଟେ ଇରାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Tags: #IranIsraelConflict #IranIsraelwarupdate #Attack #MissileAttack

Comment