ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା
  • ତାଲିବାନଠୁ ଅଧିକ ଭୟଙ୍କର ସଙ୍ଗଠନ ରହିଛି
  • ବିଶ୍ୱବ୍ୟାପୀ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ନେଇ ଆଶଙ୍କା

ତାଲିବାନ ଦଖଲକୁ ଚାଲିଯିବା ପରେ ଆଫଗାନିସ୍ତାନରେ ଭୟଙ୍କର ସ୍ଥିତି ଲାଗି ରହିଛି। କେଉଁଠି ଭୋକ ବିକଳରେ ଲୋକଙ୍କ ଦିନ କଟୁଛି ତ ଆଉ କେଉଁଠି ତାଲିବାନ ଗୁଳିରେ ମୁଣ୍ଡ ଗଡ଼ିଲାଣି। ଏବେ ପୁଣି ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌-କେର ବିସ୍ଫୋରଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛନ୍ତି। ତେବେ କେବଳ ତାଲିବାନ କି  ଆଇଏସ୍‌ଆଇଏସ୍‌-କେ ନୁହେଁ ଏଠାରେ ଆହୁରି ଅନେକ ଗୁଡ଼ିଏ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ଅଛନ୍ତି। ତେଣୁ ଏମାନେ ଆଫଗାନ ସମେତ ସାରାବିଶ୍ୱ ପାଇଁ ବିପଦ ସାଜିପାରନ୍ତି।

ଅଲକାଏଦା

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଦୀର୍ଘ ବର୍ଷ ହେଲା ଆଫଗାନିସ୍ତାନରେ ଆଡ୍ଡା କରି ରହିଛି। ଏହି ସଙ୍ଗଠନର ତାଲିବାନ ସହିତ ମଧ୍ୟ ଭଲ ସମ୍ପର୍କ ରହିଛି। ଏକ ରିପୋର୍ଟ ଅନୁସାରେ ଏହି ଦୁଇ ସଙ୍ଗଠନ ମଧ୍ୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଏକ ଚୁକ୍ତି ମଧ୍ୟ ହୋଇଛି। ଏହି ସଙ୍ଗଠନ ଆଫଗାନରେ ବେଶ୍‌ ସକ୍ରିୟ ରହିଛି। ଏହାର ସଦସ୍ୟମାନେ ଅନେକ କ୍ଷେତ୍ରରେ ତାଲିବାନକୁ ସହାୟତା ଦେଇଛନ୍ତି।

ହକ୍କାନି ନେଟଓ୍ୱାର୍କ

ହକ୍କାନି ନେଟଓ୍ୱାର୍କ ନାଁରେ ଏକ ଆତଙ୍କବାଦୀ ସଙ୍ଗଠନ ଆଫଗାନିସ୍ତାନରେ ବେଶ୍‌ ସକ୍ରିୟ ରହିଛି। ଅଲକାଏଦାର ଏହା ସହଯୋଗୀ ଗୋଷ୍ଠୀ। ଏମାନେ ଏବେ ତାଲିବାନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛନ୍ତି। କୁହାଯାଉଛି ଆଫଗାନରେ ସରକାର ଓ ତାଲିବାନ ମଧ୍ୟରେ ଯୁଦ୍ଧ ଚାଲିଥିଲା ବେଳେ ଏମାନେ ଅନେକ ଘାତକ ଆକ୍ରମଣ କରିଥିଲେ।

ତେହରିକ ଏ ତାଲିବାନ ପାକିସ୍ତାନ

ତେହରିକ ଏ ତାଲିବାନ ପାକିସ୍ତାନ ବା ଟିଟିପି ମଧ୍ୟ ଆଫଗାନିସ୍ତାନରେ ସକ୍ରିୟ ଥିବା ଏକ ଆତଙ୍କବାଦୀ ସଙ୍ଗଠନ। ଆଫଗାନ ସରକାର ସହି ଲଢ଼ିବା ପାଇଁ ଏହି ସଙ୍ଗଠନ ମଧ୍ୟ ତାଲିବାନକୁ ସହାୟତା କରିଥିଲା। ୨୦୦୭ରୁ ଏହି ଆତଙ୍କବାଦୀ ସଙ୍ଗଠନ ସୃଷ୍ଟି ହୋଇଥିଲା।

ଇସଲାମିକ ମୁଭମେଣ୍ଟ ଅଫ୍‌ ଉଜବେକିସ୍ତାନ

ଇସଲାମିକ ମୁଭମେଣ୍ଟ ଅଫ୍‌ ଉଜବେକିସ୍ତାନ ହେଉଛି ଅନ୍ୟ ଏକ ଆତଙ୍କବାଦୀ ସଙ୍ଗଠନ। ଏହି ସଙ୍ଗଠନ କିଛି ଉଜବେକିସ୍ତାନ ବିଦ୍ରୋହୀଙ୍କୁ ନେଇ ଗଠିତ ହୋଇଥିଲା। ଏମାନେ ତାଜିକିସ୍ତାନରେ ୧୯୯୨ରୁ ୧୯୯୭ ଯାଏଁ ହୋଇଥିବା ଗୃହଯୁଦ୍ଧରେ ଇସଲାମିଷ୍ଟ ସେନା ସହିତ ଲଢ଼ିଥିଲେ। ଏମାନେ ତାଲିବାନଠରୁ ବି ବେଶୀ ଘାତକ।

ବିଶ୍ୱବ୍ୟାପୀ ବଢ଼ିପାରେ ଆତଙ୍କୀ କାର୍ଯ୍ୟକଳାପ

ଦୁଇ ଦିନ ତଳେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌-କେର ସିରିଜ ବିସ୍ଫୋରଣରେ ଆଫଗାନର ରାଜଧାନୀ କାବୁଲସ୍ଥିତ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ଘଟାଇଥିଲେ। ଏଥିରେ ମୃତ୍ୟୁସଂଖ୍ୟା ୧୭୦କୁ ବୃଦ୍ଧି ପାଇଲାଣି। ଏହି ବିସ୍ଫୋରଣ ସାରାବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଅନ୍ୟପଟେ ଆଫଗାନରେ ଏତେ ସଂଖ୍ୟକ ଆତଙ୍କବାଦୀ ସଙ୍ଗଠନ ଆଶ୍ରୟ ନେଇଛନ୍ତି। ସେଠାରେ ଏହି ସଙ୍ଗଠନଗୁଡ଼ିକୁ ପାକିସ୍ତାନର ପ୍ରଶୟ ମିଳୁଥିବା କୁହାଯାଉଛି। ଯଦି ସ୍ଥିତି ଏମିତି ରହେ ତେବେ ଏହି ଆତଙ୍କୀମାନେ ଆଗାମୀ ଦିନରେ ସାରାବିଶ୍ୱରେ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇ ପାରନ୍ତି। ତାହା ସମସ୍ତଙ୍କ ବିଶଁ ବିପଦ ହେବ।

Comment