ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଫାଗାନିସ୍ତାନରେ ସିରିଜ୍‌ ବିସ୍ଫୋରଣ
  • ୧୩ ଆମେରିକୀୟ ସୈନ୍ୟ ମୃତ
  • ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯିବ କହିଲେ ବାଇଡେନ୍‌

ଆଫଗାନିସ୍ତାନରୁ ସେପ୍ଟେମ୍ବର ୧୧ ସୁଦ୍ଧା ନିଜ ସୈନ୍ୟ ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଥଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏବେ ସେନା ପ୍ରତ୍ୟାହାର ଜାରି ରହିଥିଲା ବେଳେ ଗୁରୁବାର ଆଫଗାନ ରାଜଧାନୀ କାବୁଲସ୍ଥିତ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେଣୁ ଏ ପରିସ୍ଥିତିରେ ବାଇଡେନ୍‌ ତାଙ୍କ ସେନା ପ୍ରତ୍ୟାହାର ନିଷ୍ପତ୍ତି ବଳବତ୍ତର ରଖିବେ ନା ଆଫଗାନରେ ଆତଙ୍କୀଙ୍କୁ କଡ଼ା ଜବାବ ଦେବା ପାଇଁ ନିଜ ସେନାକୁ ସେଠାରେ ରଖିବେ ତା’ ଉପରେ ଚର୍ଚ୍ଚା ହେଉଛି।

afghanistan

କାବୁଲ ଆକ୍ରମଣର ଜବାବ ଦିଆଯିବ : ବାଇଡେନ

ଗୁରୁବାର ସନ୍ଧ୍ୟାରେ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ବାହାରେ ସିରିଜ୍‌ ବିସ୍ଫୋରଣ ହୋଇଥିଲା। କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସ୍‌-କେ ଏଥିପାଇଁ ନିଜକୁ ଦାୟୀ କରିଛି। ଏଥିରେ ୭୦ ଜଣଙ୍କ ମୃତ୍ୟୁ ହେବା ସହିତ ୧୭୦ ଜଣ ଆହତ ହୋଇଛନ୍ତି। ମୃତାହନ୍ତଙ୍କ ଭିତରେ ଆମେରିକୀୟ ସେନା ବି ସାମିଲ ଅଛନ୍ତି। ଏହି ଆକ୍ରମଣ ପରେ ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ୍‌ ହ୍ୱାଇଟ ହାଉସରେ ଜରୁରୀ ବୈଠକ ଡାକିଥିଲେ। ଏହାପରେ ସେ ଦେଶକୁ ସମ୍ବୋଧିତ କରିଥିଲେ।

‘‘ଆତଙ୍କବାଦୀମାନେ କାବୁଲରେ ଯେଉଁ ଘଟଣା ଘଟାଇଲେ ତାକୁ ଆମେ ଭୁଲିବୁ ନାହିଁ। ଆତଙ୍କବାଦୀଙ୍କୁ ଏହାର କଡ଼ା ଜବାବ ଦିଆଯିବ। ସେମାନଙ୍କୁ ନିଶ୍ଚୟ ଦଣ୍ଡିତ କରାଯିବ। ଆତଙ୍କବାଦୀ କେବେ ଜିତିପାରିବେ ନାହିଁ’’, କହିଥିଲେ ବାଇଡେନ୍‌।

ଆଫଗାନରେ ରହିବେ କି ଆମେରିକା ସେନା?

ଆଫଗାନରୁ ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାରକୁ ଆଉ କମ୍‌ ଦିନ ରହିଛି। ଦିନ ଯେତିକି ପାଖେଇ ଆସୁଛି, ଆଫଗାନରେ ଆତଙ୍କୀଙ୍କ ପାଦୁର୍ଭାବ ସେତେ ବଢ଼ିଚାଲିଛି। ଏମିତିକି କାବୁଲ ବିସ୍ଫୋରଣରେ ଆମେରିକାର ୧୩ ଜଣ ସେନା ପ୍ରାଣ ହରାଇଛନ୍ତି। ଆଫଗାନରେ ଏବେ ଯେଉଁ ସ୍ଥିତି ଚାଲିଛି ସେଥିପାଇଁ ଅନେକ ରାଷ୍ଟ୍ର ବାଇଡେନଙ୍କୁ ଦାୟୀ କରିଛନ୍ତି। ଏମିତି ସ୍ଥିତିରେ ବାଇଡେନ ଯଦି ତାଙ୍କ ନିଷ୍ପତ୍ତିରେ ଅଟଳ ରହନ୍ତି ତେବେ ଅନ୍ତର୍ଜାତୀୟ ରାଜନୀତିରେ ବାଇଡେନଙ୍କ ଛବି ଖରାପ ହୋଇପାରେ।

ଅନ୍ୟପଟେ ବାଇଡେନ୍‌ ଯେଉଁ ଆତଙ୍କୀଙ୍କୁ କଡ଼ା ଜବାବ ଦେବା କଥା କହିଛନ୍ତି ସେଥିପାଇଁ ଆମେରିକା ସେନା କାବୁଲ ସମେତ ଆଫଗାନର ଅନ୍ୟ ଅଞ୍ଚଳରେ ରହିବାକୁ ପଡ଼ିବ। ତେଣୁ ସେପ୍ଟେମ୍ବର ୧୧ ପରେ ବି ଆଫଗାନରେ ଆମେରିକା ସେନା ରହିବେ ବୋଲି ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ଏବେ ବାଇଡେନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

ଓବାମାଙ୍କୁ ଅନୁକରଣ କରିପାରନ୍ତି ବାଇଡେନ୍‌

୨୦୧୧ରେ କୁଖ୍ୟାତ ଆତଙ୍କବାଦୀ ଲାଡେନକୁ ନିପାତ କରିବା ପରେ ତତକାଳୀନ ରାଷ୍ଟ୍ରପତି ବାରାକ ଓବାମା ଆଫଗାନରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସେନା ପ୍ରତ୍ୟାହାର ଦ୍ୱାରା ପରିଣାମ ବିପଜ୍ଜନକ ହୋଇପାରେ ବୋଲି ଅନୁଭବ କରି ପୁଣି ନିଜ ନିଷ୍ପତ୍ତି ବଦଳାଇଥିଲେ। ଏବେ ବାଇଡେନଙ୍କ ଆଗରେ ସେହି ସମାନ ସ୍ଥିତି। ତେଣୁ ଓବାମାଙ୍କୁ ଅନୁକରଣ କରି ବାଇଡେନ୍‌ ନିଜ ନିଷ୍ପତ୍ତି ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment