ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାରତ ପ୍ରତି ଆମ ଆଡୁ ବିପଦ ନାହିଁ: ତାଲିବାନ
  • ଆଫଗାନ-ଭାରତ ମଧ୍ୟରେ ତୃତୀୟ ରାଷ୍ଟ୍ର ଆସିବ ନାହିଁ
  • ଭାରତ ସହ ପୁଣିଥରେ ବ୍ୟବସାୟିକ ସମ୍ପର୍କ ଯୋଡ଼ିବାକୁ ତାଲିବାନ ଆଗ୍ରହୀ

ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ତାଲିବାନର ସମ୍ପର୍କ କେମିତି ରହିବ, ତାହକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ଏସବୁ ଭିତରେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଭାରତ ସମେତ ବିଶ୍ୱର ସବୁ ରାଷ୍ଟ୍ର ସହ ତାଲିବାନ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। ଆଫଗାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ତାଲିବାନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଦମ୍ଭୋକ୍ତି କରିଛନ୍ତି।

ଆମେରିକୀୟ ସେନା ଆଫଗାନ ଛାଡ଼ିବା ପରେ ତାଲିବାନ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଥିବା ବେଳେ ଭାରତକୁ ନେଇ ତାଲିବାନର ଏପରି ଏକ ସକରାତ୍ମକ ଟିପ୍ପଣୀ ଦେଇଛି। ତାଲିବାନ ନଜରରେ ଭାରତ ଏକ ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ର। ତେଣୁ ଆଫଗାନବାସୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ତାଲିବାନ ଚାହୁଁଥିବା ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି।ଆଫଗାନ-ଭାରତ ମଧ୍ୟରେ ତୃତୀୟ ରାଷ୍ଟ୍ର ଆସିବନି

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ପାକିସ୍ତାନର ଖୁସି ଦ୍ଵିଗୁଣିତ ହୋଇଛି। ତାଲିବାନ ସରକାରକୁ ପାକିସ୍ତାନର ଖୋଲା ସମର୍ଥନ ମଧ୍ୟ ରହିଛି। ତେଣୁ ଆଗାମୀ ଦିନରେ ତାଲିବାନର ସାହାଯ୍ୟ ନେଇ ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇପାରେ। କିନ୍ତୁ ଏ କଥାକୁ ତାଲିବାନ ଭୁଲ ବୋଲି ଦର୍ଶାଇଛି। ତାଲିବାନର ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ କହିବା ଅନୁସାରେ ଆଫଗାନିସ୍ତାନ ଏବଂ ଭାରତର ସମ୍ପର୍କ ମଧ୍ୟରେ ତୃତୀୟ ରାଷ୍ଟ୍ର ପଶିବାକୁ ତାଲିବାନ ସୁଯୋଗ ଦେବନାହିଁ। ତେଣୁ ଭାରତ ପ୍ରତି ତାଲିବାନ ସରକାର ଆଡୁ କୌଣସି ଦିଗରୁ ମଧ୍ୟ ବିପଦ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମ୍ପର୍କରେ ମୁଜାହିଦ ମତ ରଖି କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ବିବାଦର ସମାଧାନ କରିବା ଉଚିତ। କାରଣ ଉଭୟ ପରସ୍ପରର ପଡ଼ୋଶୀ ଓ ଦୁଇ ଦେଶର ସ୍ୱାର୍ଥ ପରସ୍ପର ଉପରେ ନିର୍ଭର କରୁଛି।ଆଫଗାନ-ଭାରତ ବ୍ୟବସାୟିକ ସମ୍ପର୍କ ବଢ଼ିବ

ଅଗଷ୍ଟ ୧୫ରେ ତାଲିବାନ କାବୁଲ ସହ ପୂରା ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ଭାରତ ସମେତ ଏକଧିକ ରାଷ୍ଟ୍ର କାବୁଲରେ ଥିବା ଦୂତାବାସକୁ ଖାଲି କରିବା ସହ ନିଜ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଲାଗିଥିଲେ। ଏଥିରେ କ୍ଷୁବ୍ଧ ହୋଇ ତାଲିବାନ ଭାରତ ସହ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଥିଲା। କିନ୍ତୁ ଏବେ ନିଜର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ତାଲିବାନ ପୁଣିଥରେ ଭାରତ ସହ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇଛି। ଭାରତକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହି ତାଲିବାନ ନୂଆଦିଲ୍ଲୀ ସହ ବ୍ୟବସାୟିକ ଓ ଅର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ମତ ଦେଇଛି।

Comment