ଓଡ଼ିଶାଲାଇଭ୍‌ ବ୍ୟୁରୋ

afghanistan

  • ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ
  • ବିମାନବନ୍ଦର ନିକଟରେ ଆଇଏସ୍‌ଆଇଏସ୍‌-କେର ବିସ୍ଫୋରଣ
  • ୭୫ ମୃତ, ଶହେରୁ ଅଧିକ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୭୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୧୭୦ର ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନ୍ୟ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ସଙ୍ଗଠନକୁ ନିଜକୁ ଦାୟୀ କରିଛି।

ଆଇଏସ୍‌ଆଇଏସ୍‌-କେ ସଙ୍ଗଠନର ଉତ୍ପତ୍ତି

ଆଇଏସ୍‌ଆଇଏସ୍‌-କେର ପୂରା ନାଁ ହେଉଛି ‘ଇସଲାମିକ୍‌ ଷ୍ଟେଟ ଅଫ୍‌ ଇରାକ୍‌ ଆଣ୍ଡ ଦ ଲିଭାଣ୍ଟ ଖୋରାସନ ପ୍ରୋଭିନ୍ସ’। ଏହା ଆଇଏସଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ଏକ ସହଯୋଗୀ ସଙ୍ଗଠନ ବା ଶାଖା। ଏହା ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ ଅଛି।

ଆଇଏସ୍‌ଆଇଏସ୍‌ ୧୯୯୯ରେ ପ୍ରତିଷ୍ଠିତ ହୋଇଥିଲା। ୨୦୧୪ ବେଳକୁ ଏହି ସଙ୍ଗଠନକୁ ସମସ୍ତେ ଜାଣିଥିଲେ। ୨୦୧୫ ବେଳକୁ ଯେତେବେଳେ ଇରାକ୍‌ ଓ ସିରିଆରେ ଏହି ଆତଙ୍କବାଦୀ ସଙ୍ଗଠନର ଦବଦବା ଚାଲିଥିଲା ସେତେବେଳେ ଏହି ଆଇଏସ୍‌ଆଇଏସ୍‌-କେର ପ୍ରତିଷ୍ଠା ହୋଇଥିଲା। ଏହି ସଙ୍ଗଠନ ଆଫଗାନ ଓ ପାକିସ୍ତାନର ଜିହାଦି ସମ୍ପ୍ରଦାୟର ଲୋକଙ୍କୁ ନିଯୁକ୍ତି ଦେଇ ନିଜର ପୃଷ୍ଠଭୂମିକୁ ସୁଦୃଢ଼ କରିଥିଲା।

ଏଥିରେ ତେହେରିକ ଏ ତାଲିବାନ ପାକିସ୍ତାନର ପୂର୍ବତନ ଆତଙ୍କୀମାନେ ପ୍ରମୁଖ ସଦସ୍ୟ ରହିଛନ୍ତି। ପାକିସ୍ତାନ ସେନା ଛାଡ଼ି ସେମାନେ ଆତଙ୍କୀ ହୋଇଥିଲେ।

ଆଫଗାନରେ ସକ୍ରିୟ ଏହି ଆତଙ୍କୀ ସଙ୍ଗଠନ

ଆଫଗାନିସ୍ତାନର ପୂର୍ବ ପ୍ରଦେଶ ନାଙ୍ଗରହାରରେ ଆଇଏସ୍ଆଇଏସ୍‌-କେର ଏକ ଆଡ୍ଡା ରହିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ନିଶା ଦ୍ରବ୍ୟ କାରବାର କରିବା ସହିତ ଏମାନଙ୍କ ସଂପୃକ୍ତି ରହିଛି। କେବଳ ଆଫଗାନରେ ଏହି ସଙ୍ଗଠନର ୩୦୦୦ରୁ ଅଧିକ ଆତଙ୍କୀ ଅଛନ୍ତି। ପୂର୍ବରୁ ଅନେକ ଥର ଏହି ସଙ୍ଗଠନ ତାଲିବାନ, ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ଆମେରିକା ସୈନ୍ୟଙ୍କ ସହିତ ମଧ୍ୟ ମୁହାଁମୁହିଁ ହୋଇଛି।

ସୁବଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତାଲିବାନ ଓ ଆଇଏସ୍ଆଇଏସ୍‌କେ ଉଭୟ ସୁନ୍ନି ଇସଲାମବାଦୀ ଆତଙ୍କବାଦୀ ସଙ୍ଗଠନ। ହେଲେ ଏହି ଦୁଇ ସଙ୍ଗଠନ ମଧ୍ୟରେ ସମ୍ପର୍କ ଭଲ ନୁହେଁ ବରଂ ପରସ୍ପରକୁ ବିରୋଧ କରନ୍ତି। ଉଭୟ ସଙ୍ଗଠନର ଆଭିମୁଖ୍ୟ ଅଲଗା ରହିଛି।

ଆତଙ୍କବାଦୀ ଆକ୍ରମଣ ନେଇ ଚେତାବନୀ ଦେଇଥିଲା ଗୁଇନ୍ଦା

କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ୨ ଦିନ ତଳୁ ଆମେରିକୀୟ ଗୁଇନ୍ଦା ବିଭାଗ ଚେତାବନୀ ଦେଇଥିଲା। ଗୁଇନ୍ଦା ବିଭାଗର ସତର୍କ ପରେ ବିମାନ ବନ୍ଦର କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସିରିଜ ବିସ୍ଫୋରଣ କରିଥିଲେ। ଆଗକୁ ମଧ୍ୟ ଆହୁରି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି।

ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ସଙ୍ଗଠନ ଏବେ ଅନ୍ୟ ଆତଙ୍କବାଦୀ ସଙ୍ଗଠନା ସହୟାତା ନେଇ କାବୁଲରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କାବୁଲ ସ୍ଥିତି ନେଇ ଆନ୍ତର୍ଜାତିକ ସମୁଦାୟ ଚିନ୍ତା ପ୍ରକାଶ କରିଛନ୍ତି।

Comment