ଓଡ଼ିଶାଲାଇଭ୍ ବ୍ୟୁରୋ
- ଆଫଗାନିସ୍ତାନରେ ଶାସନ ପାଇଁ ତାଲିବାନର ସ୍ୱପ୍ନ
- ତାଲିବାନକୁ ଅଡ଼ୁଆ ପଞ୍ଜଶୀର ପ୍ରଦେଶ
- ପଞ୍ଜଶୀରରେ ତାଲିବାନକୁ ତୀବ୍ର ବିରୋଧ
ଭାରତର ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ କ୍ଷମତାରେ ଥିବା ସରକାରକୁ ତାଲିବାନ ବଳ ପୂର୍ବକ ହଟାଇ ଦେଇଛି। ଏବେ ଦେଶରେ ଶାସନର ସ୍ୱପ୍ନ ଦେଖୁଥିବା ତାଲିବାନ ଆଗରେ କିନ୍ତୁ ଏବେ ଆଫଗାନର ପଞ୍ଜଶୀର ଉପତ୍ୟକା ଅଡ଼ୁଆ ହୋଇଛି। କାରଣ ପୂରା ଆଫଗାନର ଲୋକେ ତାଲିବାନ ଭୟରେ ଥିଲା ବେଳେ ଏହି ପଞ୍ଜଶୀର ଲୋକ ତାଲିବାନକୁ ବିରୋଧ କରି ସ୍ୱର ଉଠାଇଛନ୍ତି। ଏଠାରେ ତାଲିବାନ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଆଫାଗାନିସ୍ତାର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏଠାରେ ନେତୃତ୍ୱ ନେଇ ତାଲିବାନ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଆହ୍ୱାନ ଦେଇଛନ୍ତି।
ତେବେ ଏବେ ନୁହେଁ ୨୦ ବର୍ଷ ପୂର୍ବେ ମଧ୍ୟ ଯେତେବେଳେ ଆଫଗାନରେ ତାଲିବାନ ଶାସନ ଚାଲିଥିଲା ସେତେବେଳେ ବି ଏହି ପଞ୍ଜଶୀରରେ ତାଲିବାନ ନିଜର କବ୍ଜା କରିପାରନଥିଲା।
ଆଫଗାନର ସ୍ୱାଧୀନ ପ୍ରଦେଶ ପଞ୍ଜଶୀର
ପଞ୍ଜଶୀର ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି। ଏହି ପ୍ରଦେଶକୁ କବଜା କରିବା ତାଲିବାନ ଲାଗି ସ୍ୱପ୍ନ ହୋଇଛି। କାରଣ ୧୯୯୬ରେ ମଧ୍ୟ ଯେତେବେଳେ ତାଲିବାନ ପ୍ରଥମେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିଲା ସେତେବେଳେ ବି ସେମାନେ ପଞ୍ଜଶୀର ଅଞ୍ଚଳକୁ କାବୁ କରିପାରି ନଥିଲେ।
କେବଳ ଏତିକି ନୁହେଁ, ସୋଭିଏତ ସଂଘର ସେନା ମଧ୍ୟ ଏହି ଅଞ୍ଚଳ କବଜା କରିବାରେ ବିଫଳ ହୋଇଥିଲା। ସେତେବେଳେ ବି ଏହି ପ୍ରଦେଶ ତାଲିବାନ ଶାସନରୁ ମୁକ୍ତ ଥିଲା। ଏବେ ପୁଣିଥରେ ଏହିଠାରୁ ଆରମ୍ଭ ହୋଇଛି ତାଲିମାନ ହଟାଓ ଡାକରା। ଏହି ଡାକରା ଦେଇଛନ୍ତି ଅମରୁଲ୍ଲା ସଲେହ। ତାଙ୍କୁ ସମର୍ଥନ କରିଛନ୍ତି ଅହମ୍ମଦ ମାସୁଦ।
ଅହମ୍ମଦ ମାସୁଦ କିଏ?
ଅହମ୍ମଦ ମାସୁଦ ହେଉଛନ୍ତି ଆଫଗାନର ତାଲିବାନ ବିରୋଧୀ ନେତା ମହମ୍ମଦ ଶାହ ମାସୁଦଙ୍କ ପୁଅ। ତାଙ୍କୁ ଆଫଗାନବାସୀ ସେମାନଙ୍କର ହିରୋ ବୋଲି ବିବେଚନା କରୁଥିଲେ। ଏ ସେହି ନେତା ଯିଏ ୧୯୯୬ରେ ପଞ୍ଜଶୀରରେ ରହି ତାଲିବାନକୁ ଯୁଦ୍ଧ ଡାକରା ଦେଇଥିଲେ। ଏବେ ପୁଣିଥରେ ସେହି ସ୍ଥାନ ନେଇଛନ୍ତି ତାଙ୍କ ପୁଅ ଅହମ୍ମଦ ମାସୁଦ। ପଞ୍ଜଶୀର ରକ୍ଷାକବଚ ସାଜିଥିବା ଅହମଦ ମାସୁଦ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ପଞ୍ଜଶୀରରେ ତାଲିବାନକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଏହି ନେତା ଖୋଲାଖୋଲି ଘୋଷଣା କରିଛନ୍ତି। ଏହାସହିତ ୫ ହଜାରରୁ ଅଧିକ ସଶସ୍ତ୍ର ବିଦ୍ରୋହୀ ତାଲିବାନର ମୁକାବିଲା କରିବେ ବୋଲି ସେ କହିଛନ୍ତି।
ଅନ୍ୟପଟେ ଏବେ ପଞ୍ଜଶୀରରେ ତାଲିବାନ ସହିତ ଲଢ଼େଇ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ୫୦ ଜଣ ତାଲିବାନ ସଦସ୍ୟ ନିପାତ ହୋଇଥିବା ସୂଚନା ମିଳିଛି।
ପଞ୍ଜଶୀରର ଇତିହାସ
ଆଫଗାନର ଏହି ପ୍ରଦେଶର ଇତିହାସ ବେଶ୍ ରୋମାଞ୍ଚକର ରହିଛି। ଏଠାକାର ଅଧିକାଂଶ ଲୋକ ତାଜଲିକ ଏଥିଲିକର ଗ୍ରୁପର। ଏମାନେ ତାଲିବାନ, ରୁଷ କିମ୍ବା ଅନ୍ୟ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଇଁ ନାହାନ୍ତି। ୭୦ ଓ ୮୦ ଦଶକରେ ଆଫଗାନରେ ସୋଭିଏତ ସଂଘର ଶାସନ ଚାଲିଥିଲେ ବି ଏହି ସ୍ଥାନ ସ୍ୱତନ୍ତ୍ର ଥିଲା।
ତେବେ ଏହି ସ୍ଥାନର ନାଁ ମଧ୍ୟ ସ୍ୱତନ୍ତ୍ର। ପଞ୍ଜଶୀର ଅର୍ଥ ହେଉଛି ପାଞ୍ଚଟି ସିଂହ। ଦଶମ ଶତାବ୍ଦୀରେ ଏହି ଜାଗାର ନାଁ ପଞ୍ଜଶୀର ନଥିଲା। କୁହାଯାଏ ଏଠାକାର ୫ ଭାଇ ସେ ସମୟରେ ଗଜନୀର ସୁଲତାନ ମହମୁଦଙ୍କ ପାଇଁ ଏକ ବନ୍ଧ ନିର୍ମାଣ କରିଥିଲେ। ସେବେଠାରୁ ଏହାକୁ ପଞ୍ଜଶୀର ଉପତ୍ୟକା କୁହାଯାଉଛି।
ପଞ୍ଜଶୀରର ଭୌଗଳିକ ସ୍ଥିତି
ପଞ୍ଜଶୀରର ଭୌଗଳିକ ସ୍ଥିତି ଏହି ଅଞ୍ଚଳକୁ ଆଫଗାନର ଅଭେଦ୍ୟ ଦୁର୍ଗ ଭାବେ ଗଢ଼ି ତୋଳିଛି। ଏଠାରେ ମୋଟ ୭ଟି ଜିଲ୍ଲାରେ ୫୧୨ଟି ଗାଁ ରହିଛି। ଏହି ଅଞ୍ଚଳକୁ ଚାରି ପାଖରୁ ପାହାଡ଼ ଘେରି ରହିଛି। ତେଣୁ ଏହି ପ୍ରଦେଶକୁ ଶତ୍ରୁ ପଶିବାକୁ ଭୟ କରନ୍ତି। ଏବେ କିନ୍ତୁ ତାଲିବାନ ଏହି ଉପତ୍ୟକାକୁ ଚାରିପଟୁ ଘେରି ଯାଇଥିବା ସୂଚନା ମିଳିଛି।