ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନ ତାଲିବାନଙ୍କ ଦଖଲକୁ ଯିବାପରେ ସେଠାକାର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। ତାଲିବାନୀମାନେ ସେଠାରେ ମନମୁଖି ଶାସନ ଚଳାଇଛନ୍ତି। କେତେବେଳେ କାହାକୁ ଅପହରଣ କରୁଛନ୍ତି, ତ’ ପୁଣି କେତେବେଳେ ହିଂସାତ୍ମକ କାର୍ଯ୍ୟକଳାପ ମାନ ଘଟାଉଛନ୍ତି। ସେହିପରି ତାଲିବାନୀମାନେ କାବୁଲ ବିମାନ ବନ୍ଦରରୁ ପ୍ରାୟ ୧୫୦ ଯାତ୍ରୀଙ୍କୁ ଏକା ସାଙ୍ଗରେ ଉଠାଇନେଇଥିଲେ। ପର ମହୂର୍ତ୍ତରେ ସେମାନଙ୍କୁ ଫେରାଇ ଦେଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ହୋଇଥିବାବେଳେ, ଅନ୍ୟମାନଙ୍କ ଭିତରେ ଆଫଗାନ ଶିଖ୍ ଏବଂ ଆଫଗାନୀ ନାଗରିକ ରହିଥିଲେ।

ସେଠାକାର ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ତ୍ତମାନ ତାଲିବାନୀମାନେ ଅପହରଣ କରି ନେଇଥିବା ୧୫୦ ଯାତ୍ରୀଙ୍କୁ ଫେରାଇ ଦେଇଛନ୍ତି। ସେମାନେ ବିମାନ ବନ୍ଦର ନିକଟରେ ଥିବା ଏକ ଗ୍ୟାରେଜରେ ସୁରକ୍ଷିତ ରହିଛନ୍ତି। ସେଠାରୁ ସେମାନଙ୍କୁ ଉଦ୍ଧାର କରି ବିମାନ ବନ୍ଦରରେ ଛାଡ଼ି ଦିଆଯିବ।

ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ି ଯୋଗେ ୧୫୦ଜଣ ବ୍ୟକ୍ତି ବିମାନ ବନ୍ଦରକୁ ଯାଇଥିଲେ। ସେଠାରେ ପହଞ୍ଚିବାପରେ ଠିକ୍ ଭାବରେ ଯୋଗାଯୋଗ ହୋଇପାରିନଥିବାରୁ ସେମାନଙ୍କୁ ବିମାନ ବନ୍ଦର ବାହାରେ ଅଟକିବାକୁ ପଡ଼ିଥିଲା। ସେହି ସମୟରେ ତାଲିବାନୀମାନେ ଆସି ଏହି ଲୋକମାନଙ୍କୁ କାବୁଲର ତାରଖିଲ ଅଞ୍ଚଳକୁ ନେଇଯାଉଥିଲେ ବୋଲି ସେମାନଙ୍କ କବଳରୁ ଖସି ଆସିଥିବା ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି।

ବ୍ୟକ୍ତି ଜଣଙ୍କ ଆଉ ମଧ୍ୟ କହିଛନ୍ତି, “ତାଲିବାନୀମାନେ ଆମକୁ ନେଇ ଯାଉଥିବା ସମୟରେ ମୁଁ ଏବଂ ମୋ ପତ୍ନୀ କାର୍ ରୁ ଡେଇଁ ଖସିଯାଇଥିଲୁ। ସେମାନେ ନେବାବେଳେ କହିଥିଲେ ଆଉ ଏକ ଫାଟକ ଦେଇ ବିମାନ ବନ୍ଦରରେ ପ୍ରବେଶ କରାଇବେ।”

ସେପଟେ ତାଲିବାନୀମାନେ ଏହି ଅପହରଣ ଘଟଣାକୁ ଖଣ୍ଡନ କରିଛନ୍ତି। ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ତାଲିବାନୀଙ୍କ ପ୍ରବକ୍ତା ଅହମଦୁଲ୍ଲାହ ବସେକ।

Comment