ଓଡ଼ିଶାଲାଇଭ୍ ବ୍ୟୁରୋ

 

ରୁଷ-ୟୁକ୍ରେନ ବିବାଦ ଯୁଦ୍ଧର ରୂପ ନେଇଛି। ରୁଷ ଯୁଦ୍ଧ ଘୋଷଣା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷ ସେନାଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ଆତଙ୍କିତ ହୋଇପଡ଼ିଛନ୍ତି ୟୁକ୍ରେନ ବାସିନ୍ଦା। ଇତି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଉଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଗଲା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି “ପୋଲାଣ୍ଡ ଏବଂ ହଙ୍ଗେରୀ ରାସ୍ତାରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ନେଇ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ହଙ୍ଗେରୀର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସମସ୍ତ ଦୂତାବାସକୁ ସକ୍ରିୟ କରାଯିବ ସହିତ ଆଡଭାଇଜରି ଜାରି କରାଯାଇଛି”।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବା ପରେ ଭାରତ ସରକାର ବିମାନ ଜରିଆରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ୟୁକ୍ରେନ ଆକାଶରେ ଏବେ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି। ଫଳରେ ଉଦ୍ଧାର ପ୍ରକ୍ରିୟା ବନ୍ଦ ରହିଛି।

ରୁଷ-ୟୁକ୍ରେନ ବିବାଦ ଯୁଦ୍ଧର ରୂପ ନେବାର ଆଶଙ୍କା ଥିବାରୁ ଗତ ୨୨ ତାରିଖରେ ୟୁକ୍ରେନରେ ଥିବା ଭାରତୀୟ ନାଗରିକମାନଙ୍କୁ ଦେଶକୁ ଫେରି ଆସିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଏୟାର ଇଣ୍ଡିଆର ଏକ ବିମାନ ୟୁକ୍ରେନରୁ ୨୪୨ ଜଣ ଭାରତୀୟ ନାଗରିକଙ୍କୁ ଗୁରୁବାର ଦେଶକୁ ଆଣିଥିଲା। ଏହା ପରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ୟୁକ୍ରେନର ସମସ୍ତ ବିମାନ ବନ୍ଦର ବନ୍ଦ କରାଯାଇଥିବାରୁ ସେଠାରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇପାରିନଥିଲା।

ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ ହଜାର ଭାରତୀୟ ରହିଛନ୍ତି। ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଥିବାରୁ ସେଠାରେ ଫସି ରହିଥିବାର ଭାରତୀୟଙ୍କ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଏହି ପରିସ୍ଥିତିରେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଶାନ୍ତ ରହିବା ସହ ବାହାରକୁ ନବାହାରି ଘରେ କିମ୍ବା କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହ ସେମାନଙ୍କ ପାଇଁ ସରକାର ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି କରିଛନ୍ତି।

ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରାଯିବା ପରେ ଭାରତୀୟମାନେ ସେଠାରୁ କିପରି ଫେରିବେ ସେ ନେଇ ଚିନ୍ତା ବଢ଼ିଯାଇଥିଲା। ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ୟୁକ୍ରେନରୁ ପୋଲାଣ୍ଡ ରାସ୍ତା ଦେଇ ଦେଶକୁ ଅଣାଯିବ। ୟୁକ୍ରେନ ସଙ୍କଟ ନେଇ ବିଦେଶ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଛି। ୟୁକ୍ରେନର ସ୍ଥିତି ଗମ୍ଭୀର ରହିଛି। ଏହି ପରିସ୍ଥିତିରେ ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା ବୋଲି କେନ୍ଦ୍ର ସରକାର କହିଛନ୍ତି।

ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ସହ ରୋମାନିଆ ଓ ସ୍ଲୋଭାକିଆ ରାସ୍ତା ଦେଇ ମଧ୍ୟ ଭାରତୀୟଙ୍କୁ ୟୁକ୍ରେନ ସୀମାରୁ ଦେଶକୁ ଅଣାଯିବ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ଭାରତୀୟଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Comment