ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନରେ ତାଲିବାନିମାନଙ୍କ ଆକ୍ରମଣ ପରେ ସେଠାରେ ଦେଖାଦେଇଛି ଭୟଙ୍କର ପରିସ୍ଥିତି। ଏଭଳି ପରିସ୍ଥିତିରେ ଆଫଗାନର ଯେଉଁ ନାଗରିକମାନେ ଭାରତ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଭାରତ ସରକାରଙ୍କ  ଗୃହ ମନ୍ତ୍ରାଳୟ ପକ୍ଷରୁ ଇ-ଭିସାର ବ୍ୟବସ୍ଥା କରାଯାଇଛି। ଏହି ଭିସା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିପାରିବେ। ଏହାର ନାମ ରଖାଯାଇଛି ‘ଇ-ଏମରଜେନ୍ସି ଏକ୍ସ-ମିସ୍କ ଭିସା’(e-Emergency X-Misc Visa)।

ଏହି ଭିସା ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଭାରତ ଆସିବାକୁ ଇଚ୍ଛା ରଖିଥିବା ନାଗରିକମାନେ ଏହି ଭିସା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ଭିସାର ଅବଧି ୬ମାସ ପର୍ଯ୍ୟନ୍ତ ରହିବ। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଭିସା ପ୍ରଦାନ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତାଲିବାନିମାନଙ୍କ କବ୍ଜାରେ ଆଫଗାନିସ୍ତାନ ଆସିବା ପରେ ସେଠାକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସେମାନଙ୍କ ଭୟରେ ସେଠାରେ ରହିଥିବା ଅନ୍ୟ ଦେଶର ନାଗରିକଙ୍କ ସହ ଆଫଗାନବାସୀ ମଧ୍ୟ ନିଜ ଦେଶ ଛାଡ଼ି ଅନ୍ୟତ୍ର ଯିବାକୁ ଚାହୁଁଛନ୍ତି। ଏହି କଠିନ ସମୟରେ ଭାରତ ଆସିବାକୁ ଇଚ୍ଛା ରଖିଥିବା ଆଫଗାନବାସୀଙ୍କ ପାଇଁ ଭାରତ ସରକାରଙ୍କ ତରଫରୁ ଇ-ଭିସାର ବ୍ୟବସ୍ଥା କରାଯାଇଛି।

ସୋମବାର କାବୁଲ ବିମାନ ବନ୍ଦରର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାକାର ପରିସ୍ଥିତି ସମ୍ପର୍କରେ କାହାକୁ ଅଛପା ରହିନାହିଁ। ଏମିତିକି ବିମାନରେ ସିଟ୍ ସଂଖ୍ୟା ଯେତିକି ରହିଥିଲା ତା’ଠାରୁ ଦୁଇ ଗୁଣା ଯାତ୍ରୀ ଚଢ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିସହ ପ୍ରବଳ ଭିଡ଼ ବିମାନରୁ ତଳକୁ ଖସିବା ଫଳରେ କିଛି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, “ରବିବାରଠାରୁ ଭାରତ ଆଫଗାନିସ୍ତାନର ସ୍ଥିତି ଉପରେ ନଜର ରଖିଛି। କାବୁଲର ସ୍ଥିତି ଲଗାତାର ବିଗିଡ଼ିବାରେ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ଭାରତକୁ ଫେରିବାକୁ ଚାହୁଁଥିବା ନାଗରିକମାନଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଇ-ଭିସାର ବ୍ୟବସ୍ଥା କରାଯାଇଛି।”

Comment