ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପାଇଁ କାମ କରୁଥିବା ମିଳିତ ଜାତିସଂଘ ଆଫଗାନିସ୍ତାନ ସଙ୍କଟ ମାମଲାରେ କାହିଁକି ଚୁପ୍‌ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଆଫଗାନିସ୍ତାନରେ ନିର୍ବାଚିତ ସରକାରକୁ ବଳ ପୂର୍ବକ ହଟାଇ ତାଲିବାନ ଦେଶକୁ କବ୍‌ଜା କରି ନେଇଛି। ତାଲିବାନ ଭୟରେ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଇବାକୁ ବ୍ୟାକୁଳ ହେଉଛନ୍ତି। ଦେଶର ଏଭଳି ସଙ୍କଟ ସ୍ଥିତିରେ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପାଇଁ ଥିବା ମିଳିତ ଜାତିସଂଘ ଏଯାଏଁ କୌଣସି ପଦକ୍ଷେପ ନେଇ ନାହିଁ। ତେବେ ଆଫଗାନର ଏଭଳି ଏକ ସଙ୍କଟ ସମୟରେ ମଳିତ ଜାତିସଂଘ କାହିଁକି ଚୁପ୍‌ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ମିଳିତ ଜାତିସଂଘ ହେଉଛି ଏକ ଅନ୍ତର୍ଜାତୀୟ ସଙ୍ଗଠନ। ବିଶ୍ୱର ୧୯୩ଟି ଦେଶ ଏହାର ସଦସ୍ୟ ରହିଛନ୍ତି। ମିଳିତ ଜାତିସଂଘର ଏକ ସୁରକ୍ଷା ପରିଷଦ ରହିଛି। ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା। ହେଲେ ଆଫଗାନ ମାମଲାରେ ଜାତିସଂଘ ଆଖିରେ ପଟି ବାନ୍ଧି ଦେଲା ଭଳି ଲାଗୁଛି। ଏହାର କାରଣ ହେଉଛି ଜାତିସଂଘ କୌଣସି ଦେଶର ସାମଗ୍ରିକ ନୀତିଗତ ମାମଲାରେ ସିଧାସଳଖ ହସ୍ତକ୍ଷେପ କରେ ନାହିଁ। ଭିଟୋ କ୍ଷମତା (Veto Power) ଥିବା ଦେଶମାନେ ଯେତେବେଳେ କୌଣସି ଦେଶରେ ଚାଲିଥିବା ଜାତୀୟ ବିଶୃଙ୍ଖଳା ମାମଲାରେ ହସ୍ତକ୍ଷେପ ପାଇଁ ପ୍ରସ୍ତାବ ଦିଅନ୍ତି ସେତେବେଳେ ଯାଇ ମିଳିତ ଜାତିସଂଘ କୌଣସି ପଦକ୍ଷେପ ନେଇଥାଏ। ଭିଟୋ କ୍ଷମତା ଥିବା ଦେଶଗୁଡ଼ିକ ହେଉଛି ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷ୍‌ ଏବଂ ଚୀନ୍।

ଆଫଗାନରେ ତାଲିବାନିମାନେ ଯେଉଁଭଳି ଆତଙ୍କ ମଚାଇଛନ୍ତି ସେ ପ୍ରସଙ୍ଗରେ ଏହି ଭିଟୋ କ୍ଷମତା ଥିବା ଦେଶଗୁଡ଼ିକ ମୁହଁ ଖୋଲି ନାହାନ୍ତି। ତେଣୁ ଜାତିସଂଘ କୌଣସି ପଦକ୍ଷେପ ନେଇପାରିନାହିଁ।

ଭିଟୋ କ୍ଷମତା କ’ଣ?

ଭିଟୋ ହେଉଛି ଏକ ସ୍ୱତନ୍ତ୍ର କ୍ଷମତା। ମିଳିତ ଜାତିସଂଘ ନିଜର ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ରକୁ ଏହି କ୍ଷମତା ଦେଇଛି। ଏହି ରାଷ୍ଟ୍ରମାନେ ହେଲେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷ୍‌ ଏବଂ ଚୀନ୍। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ କୌଣସି ପ୍ରସ୍ତାବ ବିଚାର ପାଇଁ ଆସେ ସେତେବେଳେ ଏହି ୫ଟି ଦେଶର ରାୟ ନିଆଯାଇଥାଏ। ଏହି ୫ଟି ଦେଶ ମଧ୍ୟରୁ ଯଦି କୌଣସି ବି ଦେଶ ପ୍ରସ୍ତାବ ସହ ସହମତ ନ ହୁଅନ୍ତି ତେବେ ସେହି ପ୍ରସ୍ତାବ ପାରିତ ହୋଇପାରେ ନାହିଁ।

ଆଫଗାନିସ୍ତାନରେ ସ୍ଥିତି ଚିନ୍ତାଜନକ

ଗତ ଅଗଷ୍ଟ ୧୫ ତାରିଖରୁ ଆଫଗାନିସ୍ତାନକୁ ସମ୍ପୂଣ୍ଣ ଦଖଲ କରି ନେଇଛି ବିଦ୍ରୋହୀ ଗୋଷ୍ଠୀ ତାଲିବାନ। ଏହାପରେ ପୂରା ଦେଶରେ ଭୟଙ୍କର ସ୍ଥିତି ଉପୁଜିଛି। ଆଫଗାନ ନାଗରିକ ଦେଶ ଛାଡ଼ି ପଳାଇବାକୁ ବ୍ୟାକୁଳ ହେଉଛନ୍ତି। ବିଶେଷକରି ମହିଳାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତାଲିବାନ ଭୟରେ ପିଲା ଛୁଆଙ୍କ ସହିତ ବିମାନବନ୍ଦରରେ ଭିଡ଼ ଜମାଉଛନ୍ତି ମହିଳା। ଏମିତିକି ମହିଳାମାନେ ବିମାନବନ୍ଦର ସୁରକ୍ଷାକର୍ମୀଙ୍କ ସହାୟତାରେ ତାରବାଡ଼ ଡିଆଇଁ ସେମାନଙ୍କ ଶିଶୁଙ୍କୁ ଭିତରକୁ ଛାଡ଼ି ଥିବାର ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳାଙ୍କ ଉପରେ ଅତ୍ୟାଚାର ହେବନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯିବା ପରେ ମଧ୍ୟ ତାଲିବାନକୁ ଭରସା କରପାରୁନାହାନ୍ତି ଆଫିଗାନିସ୍ତାନ ମହିଳା।

Comment