ଓଡ଼ିଶାଲାଇଭ ବ୍ୟୁରୋ

କ୍ରମାଗତ ତାପମାତ୍ରା ବଢିବା ଯୋଗୁ ଆଗାମୀ କିଛି ବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି। ଏନେଇ ଜାତିସଙ୍ଘ ହିଁ ସତର୍କ କରାଇଛି। ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କଠାରୁ ଏହି ସତର୍କତା ଆସିଥିବାରୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।

ବୈଜ୍ଞାନିକଙ୍କ ମତରେ ବିଶ୍ବର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା । ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି।

୨୦୩୦ ସୁଦ୍ଧା ବିଶ୍ବର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବିଶ୍ବ ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ ବଢିବାର ଆଶଙ୍କା ରହିଛି ଚିନ୍ତାର ବିଷୟ ଏହି ଯେ ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ବ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ବାନ ଦେଇଛନ୍ତି।

ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ବାକ୍ଷର କରିଥିବା ସତ୍ତ୍ବେ ନିର୍ଗମନ ହ୍ରାସ ନେଇ ଗୁରୁତ୍ବ ନଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବଡ଼ ବଡ଼ ଦେଶ।

Comment