ଓଡ଼ିଶାଲାଇଭ୍‌ ବ୍ୟୁରୋYouth For Water

  • ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା
  • ୟୁଥ୍‌ ଫର ୱାଟର ଓ ୟୁନିସେଫ୍‌ ପକ୍ଷରୁ କାର୍ଯ୍ୟକ୍ରମ
  • ନେତୃତ୍ୱ ନିଅନ୍ତୁ ଯୁବପିଢ଼ି – ସାଂସଦ ଡକ୍ଟର ଅମର ପଟ୍ଟନାୟକ

ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବାହର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ବର୍ତ୍ତମାନ ପରିବେଶକୁ ଅସନ୍ତୁଳିତ କରିବା ସହ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି। ତେଣୁ ଏହାର ମୁକାବିଲା ଲାଗି ଉଦ୍ୟମ କରାଯିବା ଦରକାର। ବିଶେଷକରି ଏ ଦିଗରେ ଯୁବପିଢ଼ି ଆଗକୁ ଆସି ନେତୃତ୍ୱ ନେଲେ ଆଗାମୀ ଦିନରେ ଆସୁଥିବା ସମସ୍ୟାକୁ ମୁକାବିଲା କରଯାଇପାରିବ। ୟୁଥ୍ ଫର ୱାଟର ଓ ୟୁନିସେଫର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି।

ବୁଧବାର ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ‘‘ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମ୍ପର୍କିତ ସାର୍ବଜନୀନ ନୀତିରେ ଯୁବପିଢ଼ିଙ୍କ ସ୍ୱରକୁ ମୁଖ୍ୟ ସ୍ରୋତକୁ ଆଣିବା’’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଜିଲ୍ଲାର ୪୦ ଜଣ ଯୁବକ ଯୁବତୀଙ୍କ ସହ ଆଲୋଚନା କରିଥିଲେ।

‘‘ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଲଢ଼େଇରେ ବ୍ୟକ୍ତିଗତ ସ୍ତରରୁ ଚେଷ୍ଟାର ଆବଶ୍ୟକତା ରହିଛି। ଏହାର ମୁକାବିଲା ପାଇଁ ଯେଉଁ ଆକ୍ସନ ପ୍ଲାନ ବା ସାର୍ବଜନୀନ ନୀତି ତିଆରି ହେଉଛି ସେଥିରେ ଯୁବପିଢ଼ିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଏବେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସୂତ୍ରଧାର ପାଲଟିଲେଣି। ତେଣୁ ଯୁବପିଢ଼ି ଏକାଠି ହୋଇ ପଦକ୍ଷେପ ନେଲେ ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ କମାଇବା ସହିତ ଆମ ପରିବେଶକୁ ସୁରକ୍ଷିତ ରଖିପାରିବା’’, କହିଥିଲେ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟାନୟକ।

‘‘ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି। ଫଳରେ ବିଭିନ୍ନ ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଜୀବଜଗତ ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରୁଛି। ମଣିଷ ବିପଦ ଆଡ଼କୁ ଟାଣି ହୋଇ ଯାଉଛି। ତେଣୁ ଏହାର ମୁକାବିଲା କରିବା ପାଇଁ ଯୁବପିଢ଼ି ଜଳବାୟୁ ପରିବର୍ତ୍ତନ ଓ ପରିବେଶକୁ ନେଇ ଚାଲିଥିବା ଅଭିଯାନରେ ସାମିଲ ହୁଅନ୍ତୁ’’, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇ ଏଭଳି ଆହ୍ୱାନ ଦେଇଥିଲେ।

ସେହିପରି ୟୁନିସେଫ୍‌ ଇଣ୍ଡିଆର ଓ୍ୱାସ ସ୍ପେଶାଲିଷ୍ଟ ମାରିଜେ ବ୍ରୁଖୁଇସେନ୍ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଯୁବପିଢ଼ିଙ୍କ ଭୂମିକା ଉପରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ।ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ ଯୁବକ ଯୁବତୀମାନେ ପରିବେଶ ଓ ଜଳବାୟ ପରିବର୍ତ୍ତନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରିଥିଲେ। ସାଂସଦ ଡକ୍ଟର ଅମର ପଟ୍ଟନାୟକ ସେମାନଙ୍କ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ ଦେଇଥିଲେ।  ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ଉଦ୍ୟୋଗୀମାନେ ପରିବେଶ ଅନୁକୂଳ ସେମାନଙ୍କ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ କରିଥିଲେ, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶେଷରେ ସାଂସଦ ଡକ୍ଟର ଅମର ପଟ୍ଟନାୟକ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ ଓଡ଼ିଶାର ୱାସ୍‌ ବିଶେଷଜ୍ଞ ସିପ୍ରା ସକ୍ସେନା, କମ୍ୟୁନିକେସନ୍‌ ସ୍ପେଶାଲିଷ୍ଟ ରାଧିକା ଶ୍ରୀବାସ୍ତବ, ଗ୍ଲୋବାଲ୍‌ ପଲିସି ରିସର୍ଚ୍ଚ ଫାଉଣ୍ଡେସନ (ଜିପିଆରଏଫ୍‌) ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଅଂଶୁମାନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comment