ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍) ଡିମ୍‌ଡ ଟୁ ୟୁନିଭର୍ସିଟିକୁ ମିଳିଛି ବିଶ୍ଵସ୍ତରୀୟ ଶିକ୍ଷା ସମ୍ମାନ। ଜନଜାତି ପିଲାଙ୍କ ମଧ୍ୟରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପାଇଁ କିସ୍‌କୁ ‘ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର-୨୦୨୨’ ମିଳିଛି। ଗୁରୁବାର ବିଶ୍ଵ ସାକ୍ଷରତା ଦିବସ ଅବସରରେ ପଶ୍ଚିମ ଆଫ୍ରିକାସ୍ଥିତ କୋଟ ଡି ଆଇଭୋରଠାରେ ୟୁନୋସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍‌ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ପୁରସ୍କାର ବାବଦରେ କିସ୍‌କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‌ ବିଶ୍ଵର ପ୍ରଥମ ଜନଜାତି ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଭାରତର ପଞ୍ଚମ ଶିକ୍ଷାନୁଷ୍ଠାନ ଅଟେ।ପ୍ରତ୍ୟେକ ବର୍ଷ ସେପ୍ଟେମ୍ଵର ୯, ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ୟୁନେସ୍କୋ କିଂ ସେଜଂ ଲିଟେରାସି ପ୍ରାଇଜ୍ ନାମରେ ନାମିତ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ବିଶ୍ଵର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯାଇଥାଏ। ଶିକ୍ଷା ସମ୍ପର୍କିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ୟୁନେସ୍କୋ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରିଥାଏ। ଚଳିତବର୍ଷ ୟୁନେସ୍କୋ ପକ୍ଷରୁ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ସେମାନଙ୍କୁ ପ୍ରାଥମିକସ୍ତରରେ ମାତୃଭାଷା ଓ ସେମାନଙ୍କ କଥିତ ଭାଷାରେ ଶିକ୍ଷା ପ୍ରଦାନ ବିଷୟବସ୍ତୁ ରଖାଯାଇଥିଲା। ଏହି ବର୍ଗରେ ଚଳିତ ବର୍ଷ କିସ୍ ଡିମ୍‌ଡ ଟୁ ୟୁନିଭର୍ସିଟିକୁ ପୁରସ୍କାର ପାଇଁ ଜୁରି କମିଟି ଚୟନ କରିଥିଲେ।

କିସ୍‌କୁ ଶିକ୍ଷା କ୍ଷେତ୍ରର ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଗୁରୁବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ନାଚ, ଗୀତ କରି ଉତ୍ସବ ମନାଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ କରି ଶୁଭେଚ୍ଛା ଜଣାଇଥିଲେ।ସେହିପରି ଶୁକ୍ରାବାର କିସ୍‌ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ କରି ପ୍ରତିଷ୍ଠାତା ଡକ୍ଟର ସାମନ୍ତ କିସ୍‌ର ଏହି ସଫଳତା ବାବଦରେ ସମସ୍ତଙ୍କୁ ଜଣାଇଥିଲେ। ଏହି ଅବସରରେ ସେ କହିଛନ୍ତି, “ଶିକ୍ଷା ହେଉଛି ସବୁ ସମସ୍ୟାର ଏକମାତ୍ର ଏବଂ ସ୍ଥାୟୀ ସମାଧାନ। ତେଣୁ ରାଜ୍ୟର ଜନଜାତି ପିଲାମାନଙ୍କୁ ଏକ ଉନ୍ନତ ଶିକ୍ଷା ପରିବେଶ ଭେଟି ଦେବା ପାଇଁ ନବେ ଦଶକରେ କିସ୍‌ର ପରିକଳ୍ପନା କରିଥିଲୁ। ତେବେ ୟୁନେସ୍କୋ ଭଳି ଏକ ଅନ୍ତର୍ଜାତୀୟ ସଂସ୍ଥାରୁ କିସ୍‌କୁ ଏହି ସମ୍ମାନ ମିଳିବା କେବଳ କିସ୍‌ ପାଇଁ ନୁହେଁ ଏହା ସମଗ୍ର ଓଡ଼ିଶା ଏବଂ ଭାରତ ପାଇଁ ଗୌରବର କଥା। ଶିକ୍ଷାକ୍ଷେତ୍ରର ଏହି ଶ୍ରେଷ୍ଠ ସମ୍ମାନ ଆମକୁ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ ସହ ଅଧିକରୁ ଅଧିକ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଆହୁରି ଉତ୍ସାହିତ କରିବ।” ସେହିପରି କିସ୍‌ର କୁଳପତି ପ୍ରଫେସର ଦୀପକ କୁମାର ବେହେରା କହିଛନ୍ତି, “ଜନଜାତି ପିଲାମାନଙ୍କ ଏକ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି କରିବା କିସ୍‌ର ଏକମାତ୍ର ଲକ୍ଷ୍ୟ। ଏଥିପାଇଁ କିସ୍‌ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି। ତେବେ ଛାତ୍ରଛାତ୍ରୀଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷା ଦେବା ଲାଗି ୨୦୧୩ ମସିହାରେ କିସ୍‌ରେ ‘ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ’ ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଶିଶୁମାନଙ୍କୁ ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ କରାଯାଏ। ଫଳରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଏ। ଏହାପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ବହିରେ ଲିଖିତ ଭାଷା ବ୍ୟବହାର ସହ ଅଭ୍ୟସ୍ତ କରାଯାଇଥାଏ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଥାଏ ଏବଂ ଅଧାରୁ ପାଠ ପଢୁଥିବା ପିଲାଙ୍କ ସଂଖ୍ୟା କମାଇବାରେ ଏହା ଏକ ଅଭିନବ ଏବଂ ସଫଳ ପ୍ରୟାସ।”

ଅନ୍ୟମାନଙ୍କ ମଧ୍ୟରେ କିସ୍‌ ଡିମ୍‌ଡ ଟୁ ୟୁନିଭର୍ସିଟିର ଡାଇରେକ୍ଟର ଜେନେରାଲ ଡକ୍ଟର କାହ୍ନୁ ଚରଣ ମାହାଳି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #KISS #UNESCO #InternationalLiteracyDay2022 #UnitedNation #କିସ୍‌ 

Comment